କଳାହାଣ୍ଡି: ରୁପ୍ରାରୋଡ ଉଚ୍ଚ ବିଦ୍ୟାଳୟ ନୂତନ କୋଠାର ଲୋକାର୍ପଣ ସମାରୋହ ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ନର୍ଲା ବ୍ଲକ ରୁପ୍ରାରୋଡ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ତରୁଣ କୁମାର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ଅଗ୍ରୱାଲ, ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ, ସ୍ବର୍ଗତ ମହାଦେବଲାଲ ଖେତାନଙ୍କ ସୁପୁତ୍ର ରାଧେଶ୍ୟାମ ଖେତାନ, ସମାଜସେବୀ ପ୍ରଦୀପ କୁମାର ଅଗ୍ରୱାଲ, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ସମିତି ସଭ୍ୟ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ରହି ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସ୍ମୃତି ଚାରଣ କରିଥିଲେ ।
ଏହି ଅବସରରେ ମରଣୋତ୍ତର ଭାବେ ଡ଼ଃ ସାଧୁରାମ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ଃ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ମାନପତ୍ର ଗ୍ରହଣ କରିଥିଲେ । ୧୯୭୩ ମସିହାରେ ସ୍ଥାପିତ ହୋଇଥିବା ରୁପ୍ରାରୋଡ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଥିଲେ ଡ଼ଃ ସାଧୁରାମ ଅଗ୍ରୱାଲ । ୨୦୨୧ ମସିହାରେ ସେ ରୁପ୍ରାରୋଡ ହାଇସ୍କୁଲକୁ ପୈ।ଷ୍ୟ ଭାବେ ଗ୍ରହଣ କରି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ । ତେବେ ଏହାର କିଛି ଦିନ ପରେ ୨୦୨୧ ମଇ ମାସ ୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଦ୍ବାରା ନିର୍ମିତ ନୂତନ ବିଦ୍ୟାଳୟ କୋଠାର ଲୋକାର୍ପଣ ହୋଇଯାଇଛି ।
ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ ରୁପ୍ରାରୋଡ ହାଇସ୍କୁଲର ଉନ୍ନତି ସହ ଅଞ୍ଚଳର ଅନେକ ଉନ୍ନତି ମୂଳକ କାର୍ଯ୍ୟର ପୁରୋଧା ଭାବେ ଜନ ମାନସରେ ଅମର ହୋଇ ରହିଛନ୍ତି । ସେ ନିଜ ଜୀବନ କାଳ ମଧ୍ୟରେ ୪ ଜଣ ନିରିହ ଝିଅଙ୍କ ବିବାହ କରାଇଥିଲେ । ଟିଡିଏମ ଅଫିସ, ରୁପ୍ରାରୋଡରେ ଟ୍ରେନ ରହଣୀ, ରୁପ୍ରାରୋଡ ସ୍ବାସ୍ଥ୍ୟ କେନ୍ଦ୍ର ଆଦିରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ୨୦୧୯ କୋଭିଡ ସମୟରେ ସେ ଦୁର୍ଗତ ମାନଙ୍କୁ ଅନେକ ସାହାଯ୍ୟ ସହଯୋଗ କରିଥିଲେ । ରୁପ୍ରାରୋଡ ଠାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇବା ସହ ମନ୍ଦିର ପରିଚାଳନା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଇଥିଲେ ।
ଏମିତି ଜଣେ ସମାଜସେବୀ ଡ଼ଃ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ରୁପ୍ରାରୋଡ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ । କୋଭିଡ କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଆଜିର ସଭାକୁ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ନେପାଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।