କଳାହାଣ୍ଡି: ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଓ ଯୁବ ନେତୃତ୍ବ ପାଦ ଥାପିଛନ୍ତି । ସେହି କ୍ରମରେ ବିଜେଡି ମଧ୍ୟ ତା’ର ରଣନିତି ପ୍ରସ୍ତୁତ କରି ଏଥର କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅକ୍ତିଆର କରିବାକୁ କସରତ ଆରମ୍ଭ କରିଦେଇଛି । ଶତ ପ୍ରତିଶତ ବିଜୟ ଲକ୍ଷନେଇ ବିଜେଡି କଳାହାଣ୍ଡିର ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ରଣାଙ୍ଗନକୁ ଅବତିର୍ଣ୍ଣ ହୋଇଥିବା ରାଜନୈତିକ ବିଶାରଦମାନେ ମତ ବ୍ୟକ୍ତ କରିଛନ୍ତି । ସେହି କ୍ରମରେ ଜିଲ୍ଲା ପରିଷଦ ଜୋନ୍-୨୭ (ନର୍ଲା-୨ ସରିଆଁ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେଡି ହରିଶଙ୍କର ମାଝୀଙ୍କୁ ଚୟନ କରିଛି । ଅଞ୍ଚଳର ବିକାଶ ଧାରାକୁ ଆଉ ପାଦେ ଆଗେଇ ନେବାପାଇଁ ବଦ୍ଧ ପରିକର ହରିଶଙ୍କର ନର୍ଲା ଯୁବ ବିଜେଡି ସଭାପତି ଭାବେ କାର୍ଯ୍ୟରତ । ଏହି ଜୋନ ପାଇଁ ବିଜେପି ସୁଶ୍ରୀ ରୀନା ଭୋଇ ଓ କଂଗ୍ରେସ ରୋଶନ କୁମାର ମାଝୀଙ୍କୁ ପ୍ରାର୍ଥୀ କରିଛି । ଗତଥର ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିବା ଶୁଶ୍ରୀ ରିନା ଭୋଇ ଏଥର ମଧ୍ୟ ବିଜେପି ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ତାଙ୍କ ସହ ଏଥର ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀଙ୍କ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି । ଗତ ୨୦୧୭ ନିର୍ବାଚନରେ ନର୍ଲାର ତିନୋଟି ଯାକ ଜିଲ୍ଲା ପରିଷଦ ଆସନକୁ ଅକ୍ତିଆର କରିଥିଲା ବିଜେପି । ଏଥର କିନ୍ତୁ ସମସ୍ତ ଆସନକୁ ଅକ୍ତିଆର କରିବାକୁ ବିଜେଡି ନିଜ ରଣନିତି ଆପଣେଇବ । ଏଥର ନର୍ଲା ଜୋନ-୨ରେ ବିଜେଡି ପକ୍ଷରୁ ହରିଶଙ୍କର ମାଝୀ ଲଢେଇ କରୁଛନ୍ତି । ଶ୍ରୀ ମାଝୀ ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ଭାବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ଦୀର୍ଘ ବର୍ଷଧରି ବିଜେଡି ସହ ଜଡିତ ଥିବା ହରିଶଙ୍କର ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ନିର୍ବାଚନ ପୂର୍ବରୁ ଶ୍ରୀ ମାଝୀ ଗାଁ ଗାଁ ବୁଲି ତୃଣମୂଳ ସ୍ତରରେ ବିଜେଡିର ସାଙ୍ଗଠନିକ ସ୍ଥିତିକୁ ଅଧିକ ମଜଭୁତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେଡି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବାରୁ ଏଥର ନର୍ଲା ଜୋନ-୨ରେ ବିଜେଡିର ପଲ୍ଲା ଭାରି ଥିବାପରି ମନେହେଉଛି । ତେବେ ବର୍ତ୍ତମାନ ଲଢେଇର ଆଦ୍ୟ ପର୍ବ ହୋଇଥିବାରୁ ଆଗକୁ ଏହା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।