ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼ଃ. ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଭୋଟ ଦାନକୁ ଏକ ଉପଯୁକ୍ତ ଚିନ୍ତନର ପରିପ୍ରକାଶ ବୋଲି ଅଭିହିତ କରିଥିଲେ । ରାଜ୍ୟ ଯୁବ ରେଡକ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ମତଦାତା ସଚେତନ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ନିମନ୍ତ୍ରିତ ବକ୍ତା ଭାବେ ଧର୍ମଗଡ଼ ସହାୟକ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ଯୋଗ ଦେଇ ମତଦାତାଙ୍କ ଯୋଗ୍ୟତା ଓ ମତଦାନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସୁଶ୍ରୀ ଲିପ୍ସା ମହାରଣା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ. ରାଧାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ତଥା ସ୍ତମ୍ଭକାର ମୋହନ ଚରଣ ବିଷି କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ , ଯୁବ ରେଡକ୍ରସ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।