ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

● ୧୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

● ମୃତ ସାମ୍ବାଦିକଙ୍କୁ ସହୀଦ ଘୋଷଣା ସହ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦାବୀ କଲେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ର

କଳାହାଣ୍ଡି, (ହେମନ୍ତ ସାହୁ): ଲାଲ ବାହିନୀ ପୁଣି ଥରେ ତାଣ୍ଡବ ରଚିଛି । ପୋଷ୍ଟର, ବ୍ୟାନର ସହିତ ଖଞ୍ଜିଛି ଲ୍ୟାଣ୍ଡ ମାଇନ । ଆଉ କାହାକୁ ଟାର୍ଗେଟ କରି ଏହି ଲ୍ୟାଣ୍ଡ ମାଇନ ଖଞ୍ଚା ଯାଇଥିବାବେଳେ ଏହାର ପ୍ରକୋପର ଶିକାର ହୋଇଛନ୍ତି ଜଣେ ସାମ୍ବାଦିକ । ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଆଜି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହେଇଛି । ରାସ୍ତା କଡ଼ରେ ଦୁଇ ଗଛରେ ଲାଗିଥିବା ଏକ ବ୍ୟାନର ପାଖରେ ଖଞ୍ଜା ଯାଇଥିବା ଏହି ଲ୍ୟାଣ୍ଡମାଇନଟି ଶେଷକୁ ଜଣେ ନିରୀହ ସାମ୍ବାଦିକଙ୍କ ମୃତ୍ୟୁର କାରଣ ପାଲଟିଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରୀ ରାସ୍ତାରେ । ଦୈନିକ ଧରିତ୍ରୀ ଖବର କାଗଜର ମୋହନଗିରୀ ପଞ୍ଚାୟତ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ବାଳ ମାଓବାଦୀଙ୍କ ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି । ଆଜି ପ୍ରାୟ ଦଶଟା ସମୟରେ ମୋହନଗିରୀଠାରୁ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ସ୍ଥାନରୁ (ଦୁଲେନ୍ ନିକଟକୁ) ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସେଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ହେଇଛି । ଲାଗିଥିବା ପୋଷ୍ଟରରେ ନିର୍ବାଚନ ବର୍ଜନ କରନ୍ତୁ, ଗୋଲାମୀରୁ ମୁକ୍ତି ପାଆନ୍ତୁ । ଗଣତାନ୍ତ୍ରିକ ପଦ୍ଧତିରେ ଲଢୁଥିବା ଓ କହୁଥିବା ବ୍ୟକ୍ତି ଉରେ ରାଷ୍ଟ୍ର ହିଂସା ବନ୍ଦ କରାଯାଉ ଭଳି ଅନେକ ଦାବୀକୁ ନେଇ ଆଜି ଲାଲ ବାହିନୀ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମ.ରାମପୁର –ମୋହନଗିରୀ ରାସ୍ତା ଡ଼ମ୍ବକର୍ଲାଖୁଣ୍ଟର ଟିକିଏ ଆଗକୁ ଦୁଲେନ ବୁଲାଣି ପାଖରେ ଆଜି ଲାଲ ବାହିନୀର ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟର ସହିତ ନିଜର ଉପସ୍ଥିତି ଜାହିର କରିଛି ଲାଲ ବାହିନୀ । ଦୀର୍ଘ ମାସର ବ୍ୟବଧାନ ପରେ ମାଓ ସଂଗଠନ ନିଜର ଉପସ୍ଥିତି ଜାହିର କରିଛି । ଏବେ ତିସ୍ତରୀୟ ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ମାଓବାଦୀଙ୍କ ଭୋଟ ବର୍ଜନ ପୋଷ୍ଟର ଆଲୋଚନାର ବିଷୟ ପାଲଟିଛି । ମାଓବାଦୀମାନେ ରାସ୍ତା ଉପରେ ବ୍ୟାନର, ରାସ୍ତା କଡ଼ରେ ବ୍ୟାନର, ଗଛରେ ହାତଲେଖା ପୋଷ୍ଟର ସହିତ ଛପା ପୋଷ୍ଟର ବି ଲଗେଇଛନ୍ତି । ଭାକପା(ମାଓବାଦୀ) ତରଫରୁ ହାତଲେଖା ପୋଷ୍ଟରରେ, ଆଦିବାସୀ ଅଞ୍ଚଳରେ ସିଆରପିଏଫ୍ କ୍ୟାମ୍ପ ତୁରନ୍ତ ବନ୍ଦ କରାଯାଉ, ଫରେଷ୍ଟର ବଳପୂର୍ବକ ଭାବେ ଦଖଳ କରିଥିବା ଜଙ୍ଗଳ ଜମିକୁ ଆଦିାବୀ ଓ ଦଳିତଙ୍କ ଫେରାଇ ଦିଆଯାଉ ଏବଂ ଆଦିବାସୀ ଦଳିତ ପରିବାରକୁୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ । ମାଓବାଦୀ ଆଳରେ ଲୋକଙ୍କୁ ଡ଼କାଇତ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୁଲିସ ଆରେଷ୍ଟ କରୁ, ଗଞ୍ଜେଇ ଆଳରେ ପୁଲିସର ହିିଂସାଲୀଳା ବନ୍ଦ କରାଯାଉ ଏବଂ ଏଥିରେ ଆରେଷ୍ଟ ହେଇଥିବା ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦେଇ ତୁରନ୍ତ ରିହା କରୁ । ଲୋକଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବଶ୍ୟକୀୟ ରାସନ ସାମାନ ଯୋଗାଇ ଦିଆଯାଉ, ସରକାରୀ ନିଯୁକ୍ତି ବୟସସୀମା କ୍ୟାବିନେଟର ନିଷ୍ପତିକୁ ରଦ୍ଦ କରାଯାଉ ବୋଲି ଉଲ୍ଲେଖ ରହିଛି । ଏହି ପୋଷ୍ଟର ଓ ବ୍ୟାନର ସହ ସାମ୍ବାଦିକଙ୍କ ମୃତ୍ୟୁ ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଇଛି । ତେବେ ଗତ କିଛିମାସର ନୀରବତା ପରେ ମାଓ ଉପସ୍ଥିତି ଏଭଳି ଭାବରେ ହେଇଛି, ଯାହା ନିଶ୍ଚିତ ନିର୍ବାଚନ ଉପରେ ପ୍ରଭାବ ପକାଇବା ସହିତ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହେବା ଓଡ଼ିଶାରେ ପ୍ରଥମ ଘଟଣା । ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବାସହ ୧୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର ମୃତ ସାମ୍ବାଦିକଙ୍କୁ ସହୀଦ ଘୋଷଣା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦାବୀ କରିଛନ୍ତି । ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଣେ କାଯ୍ୟରତ ସାମ୍ବାଦିକ ଜୀବନର ମୂଲ୍ୟ ୧୩ ଲକ୍ଷ ଟଙ୍କା ନୁହଁ । ସହୀଦର ମାନ୍ୟତା ସହ ସହୀଦ ଜବାନର ସୁବିଧା ସୁଯୋଗ ଦେବା ସହ ୫୦ ଲକ୍ଷ ଟଙ୍କା ସହାୟତା ପରିବାରକୁ ଯୋଗାଇ ଦେବାକୁ ଆମେ ଦାବି କରୁଛୁ ।ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଅକାଳ ବିୟୋଗରେ ମ.ରାମପୁର ପ୍ରେସ କ୍ଲବ ସଭାପତି ପ୍ରସାନ୍ତ ସାମନ୍ତରାୟ, ସମ୍ପାଦକ ହେମନ୍ତ ସାହୁ, ଉପସଭାପତି ପ୍ରଦୀପ ସାହୁ, ପରମାନନ୍ଦ ବିଶି, ମର୍ଦ୍ଦରାଜ ସ୍ବାଇଁ, ଜଗତ ସାହୁ, ପୟଧର ସାହୁ, ରାମେଶ୍ବର ସାହୁ ପ୍ରମୁଖଙ୍କ ସହ ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ବିଜୟ ଦ୍ବିବେଦୀ, ରଜନୀ ମିଶ୍ର, କମ୍ବୁପାଣି ମିଶ୍ର, ସୁନୀଲ କୁମାର ଧଙ୍ଗଡାମାଝୀ, ଅଂଶୁମାନ ପାତ୍ର, ବିରଞ୍ଚି ନାରାୟଣ ଜାଲ, ରାଜକୁମାର ସିଂଦେଓ, ନରୋତ୍ତମ ସେଲମା, ଲିଙ୍ଗରାଜ ମିଶ୍ର ପ୍ରମୁଖଙ୍କ ସହ ଜିଲ୍ଲାର ଅନେକ ସାମ୍ବାଦିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.