ବିବାହର ୧୧ ଦିନ ପରେ ଯୁବକର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଶଶୁରଙ୍କ ପରିବାର ପକ୍ଷରୁ ଶବ ରଖି ଜାତୀୟ ରାଜପଥ ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଥାନା ପଲମ ଫାଣ୍ଡି ଅନ୍ତର୍ଗତ ଖଇରମାଲ ଗ୍ରାମର ଜନୈକ ଯୁବକ ବିବାହର ୧୧ ଦିନ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଖଇରମାଲ ଗ୍ରାମର ସ୍ବର୍ଗତ ଟଙ୍କଧର ସାହୁଙ୍କ ମଝିଆ ପୁଅ ବିଶ୍ଵାମିତ୍ର ସାହୁ(୨୫) ବୋଲି ଜଣାପଡିଛି । ତେବେ ଯୁବକ ଜଣକର ମୃତ୍ୟୁର କାରଣକୁ ନେଇ ସନ୍ଦେହ ଜନକ ହୋଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ନବବିବାହିତ ଯୁବକର ମୃତ୍ୟୁକୁ ନେଇ ଶଶୁରଙ୍କ ପରିବାର ପକ୍ଷରୁ ଯୁବକର ଭାଉଜ ଉପରେ ଦୋଷାରୋପ କରାଯାଇଛି । ଘଟଣାରେ ଯୁବକର ଭାଉଜ ହିଁ ମୁଖ୍ୟ ଅଭିଯୁକ୍ତ ତେଣୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି ଓ ଘଟଣାକୁ ନେଇ ମୃତ ଯୁବକର ଶଶୁରଙ୍କ ପରିବାର ପକ୍ଷରୁ ଶବକୁ ଧରି ଅମାଠ-ମ.ରାମପୁର ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଖଇରମାଲ ଗ୍ରାମରେ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ପରେ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୁଲିସ ଫୋର୍ସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । କେସିଙ୍ଗା ଆଦର୍ଶ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଥିବା ନେଇ ଖବର ସଂଗ୍ରହରୁ ପ୍ରକଶ । ଅପରପକ୍ଷରେ ସ୍ୱାମୀର ମୃତ୍ୟୁ କୁ ନେଇ ନବବଧୂ ନିଜର ଦେଢଶୁର ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଦୋଷାରୋପ କରି ପୁଲିସକୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଲିଖିତ ଅଭିଯୋଗ ଅନୁଯାୟୀ ପ୍ରକାଶ ଯେ, ଗତ ୧୧/୩/୨୦୨୨ ରିଖ ଦିନ ବିଶ୍ଵାମିତ୍ର ବୈଦିକ ରୀତିରେ ସିର୍ଜାପାଲି ଗ୍ରାମର ଜନୈକ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ନବବିବାହିତା ସ୍ତ୍ରୀଙ୍କୁ ସ୍ବାମୀ ନିର୍ଯାତନା ଦେଉଥିଲେ ବୋଲି ନବବଧୂ ଜଣକ ଅଭିଯୋଗ କରିଛନ୍ତି । ଆଜି ସକାଳ ପ୍ରାୟ ୭ ଟା ସମୟରେ ଦେଢଶୁର ବଶିଷ୍ଠ ସାହୁ ଓ ତାଙ୍କ ପତ୍ନୀ ବେଲମତୀ ସାହୁ ଘରକୁ ଆସିଥିଲେ ଓ ନିଜ ସ୍ବାମୀଙ୍କୁ କ’ଣ କରିଥିଲେ ସେ ବିଷୟରେ ସେ କିଛି ଜାଣିନଥିବା ବେଳେ ସକାଳ ୧୦ ଟା ସମୟରେ ଟଙ୍କଧର ନିଜ ନବବିବାହିତା ସ୍ତ୍ରୀଙ୍କୁ ଘରୁ ବାହାର କରି ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ନେଇ ନବବଧୂ ଲିଖିତ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.