ଭୁବନେଶ୍ବର/କଲାହାଣ୍ଡି,୧୮/୩ : ଋତୁରାଜ ବସନ୍ତର ଆଗମନରେ ନବବଧୁ ରୂପରେ ସଜ୍ଜିତ ହୋଇଛି ପ୍ରକୃତି ଦେବୀ । ମଳୟର ସ୍ନିଗ୍ଧ ସମୀରର ମୃଦୁ ଗୁଞ୍ଜରଣ ସହ କୋକିଳର କୁହୁତାନ ଓ ଭକ୍ତର ଅନ୍ତରାତ୍ମାର ଡାକରେ ଫଗୁଣ ମେଳାରେ ସାକ୍ଷାତ ପ୍ରତିକ ଭାବେ ଉଭା ହୋଇଛନ୍ତି ଖାଟୁ ଶ୍ୟାମ ବାବା । ଶ୍ୟାମ ପ୍ରେମରେ ମଜ୍ଜି ରହିଛନ୍ତି ତମାମ ଜନତା । ମନେ ହେଉଛି ରାଜସ୍ଥାନର ଖାଟୁ ଶ୍ୟାମ ପଲସାପଡାସ୍ଥିତ ମନ୍ଦିରରେ ସୂକ୍ଷ୍ମ ରୂପରେ ବିରାଜମାନ କରିଛନ୍ତି । ସେଥିପାଇଁ ତ ପୂର୍ବଜ କହିଯାଇଛନ୍ତି ଭକ୍ତ ଭାବରେ ବନ୍ଧା ଭଗବାନ ।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ପଲସା ପଡା ଗ୍ରାମରେ ରହିଛି ଖାଟୁ ଶ୍ୟାମ ମନ୍ଦିର । ୧୯୭୪ ମସିହାରେ ପ୍ରତିଷ୍ଟିତ ଏହି ମନ୍ଦିର ପ୍ରତିବର୍ଷ ଫାଲଗୁନ ଯାତ୍ରା ସମୟରେ ଉତ୍ସବ ମୂଖର ହୋଇଥାଏ । ରାଜସ୍ଥାନର ଖାଟୁ ଠାରେ ଶ୍ୟାମ ବାବାଙ୍କ ମୂଳ ମନ୍ଦିର ଥିବାବେଳେ ଓଡିଶାର ଭଟଲି ଓ ପଲସାପଡା ଠାରେ ବାବାଙ୍କ ମନ୍ଦିର ରହିଛି । ଭକ୍ତଙ୍କ ଭାବରେ ବନ୍ଧା ପଡନ୍ତି ଶ୍ୟାମ ବାବା । ଭକ୍ତ ଓ ଭଗବାନଙ୍କ ମିଳନରେ ସୃଷ୍ଟି ହେଉଥିବା ମିଳନ ମାଧ୍ୟମରେ ଅଞ୍ଚଳରେ ସଦଭାବନାର ଢେଉ ଉଠି ଆଖପାଖ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥାଏ । ଯାହା ଖାଟୁ ଶ୍ୟାମ ଯାତ୍ରାରେ ପରିଳକ୍ଷିତ ହୁଏ ।
ଏହି ମନ୍ଦିରରେ ନିଆରା ଢଙ୍ଗରେ ଫାଲଗୁନ ମେଳା ହେଉଥିବାରୁ ରୁପ୍ରାରୋଡ, ନର୍ଲା ସମେତ ଧର୍ମଗଡ, ଜୁନାଗଡ, ଭବାନୀପାଟଣା, କେସିଙ୍ଗା, ଲଡୁଗାଁ, ସମ୍ବଲପୁର, ମ ରାମପୁର, ଲାଂଜିଗଡ ଆଦି ବିଭିନ୍ନ ପ୍ରାନ୍ତରୁ ଶ୍ୟାମ ଭକ୍ତମାନେ ଏଥିରେ ଯୋଗଦେଇ ବାବାଙ୍କ ଆଶିର୍ବାଦ ଲାଭ କରିବାର ଅପୂର୍ବ ସୂଯୋଗ ଲାଭ କରିଥାନ୍ତି ।
ଏହି ମେଳାର ମୂଖ୍ୟ ଆକର୍ଷଣ ହେଉଛି ନିଶାନ ପଦଯାତ୍ରା । ରୁପ୍ରାରୋଡ ବସ୍ତିରୁ ଫଲସାପଡା ପର୍ଯ୍ୟନ୍ତ ୮ କିମି ଶ୍ୟାମ ବାବାଙ୍କ ନିଶାନ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ନିଶାନ ପଦଯାତ୍ରା ପ୍ରତି ବର୍ଷ ପରିି ଏଥର ମଧ୍ୟ ରୁପ୍ରାରୋଡ ଛୋଟେଲାଲ ଶର୍ମା ପରିବାରରୁ ଆରମ୍ଭ ହୋଇଥିଲା । ରବିବାର ସକାଳ ଭୋର ୦୫ଟାରୁ ଆରମ୍ଭ ହୋଇଥିଲା ପଦଯାତ୍ରା । ଶ୍ୟାମ ବାବାକ° ଝଣ୍ଡା ଉଠାଇ ଖାଲି ପାଦରେ ୮ କିଲୋମିଟର ଶ୍ୟାମ ବାବାକ° ଜୟଗାନ କରି ପଲସାପଡାରେ ପହଞ୍ଚିଥିଲେ ।
ରୁପ୍ରାରୋଡ, ବରଗା, ମାଲିପଡା, ଭମରପଡା, ଲାଖଗୁଡା, ଭିମକେଲା ଓ ଫଲସାପଡା ଗ୍ରାମର ଶ୍ରଦ୍ଧାଳୁ ମାନେ ଶ୍ୟାମ ବାବାଙ୍କ ନିଶାନ ପଦଯାତ୍ରାକୁ ଭବ୍ୟ ସ୍ୱାଗତ ସମ୍ରଦ୍ଧନା ଜ୍ଞାପନ କରିଥିଲେ । ପଦଯାତ୍ରା ପୂର୍ବଦିନ ଅର୍ଥାତ ଶନିବାର ଶ୍ୟାମ ବାବାଙ୍କ ପାଖରେ ଅହୋରାତ୍ର ଭଜନ କିର୍ତ୍ତନ, ଯଜ୍ଞ ବିଧି ଓ ରବିବାର ସକାଳୁ ମଙ୍ଗଳ ଆରତୀ କରାଯାଇଥିଲା ।
ରୁପ୍ରାରୋଡ ଶ୍ୟାମ ଭକ୍ତ ରତନ ଅଗ୍ରୱାଲ, ଅନିଲ କମାନି, ରାଜେଶ ଶର୍ମା ରାଧେଶ୍ୟାମ ଶର୍ମା,ରାମଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ସୁନିଲ ଶର୍ମା,ସୁରେଶ ଶର୍ମା, ପବନ ଶର୍ମା, ସନ୍ଦିପ ଶର୍ମା, ସୁମିତ ଶର୍ମା, ଲାଲା ଶର୍ମା,ଅମିତ କୁମାର ଶର୍ମା (ବଣ୍ଟି)ଙ୍କ ସହ ଭବାନୀପାଟଣାର ମୋହନ ଲାଲ ଶର୍ମା ଓ ଅଞ୍ଚଳର ଶ୍ୟାମ ପରିବାର ସହଯୋଗ କରିଥିଲେ । ଆଜି(ସୋମବାର) ଶ୍ରଧାଳୁଙ୍କ ପାଇଁ ଭଣ୍ଡାରାର ଆୟୋଜନ କରାଯାଇଛି । ଶହ ଶହ ଭକ୍ତ ଖାଟୁଶ୍ୟାମ ବାବାଙ୍କ ପ୍ରସାଦ ସେବନକରି ନିଜକୁ କୃତାର୍ଥ ମନେ କରିଥିବା ପ୍ରକାଶ କରିଛନ୍ତି ।