କେସିଙ୍ଗା ବିଡିଓଙ୍କ ବିରୁଦ୍ଧରେ ସରପଞ୍ଚ ସଂଘର ଅଭିଯୋଗ ପ୍ରସଙ୍ଗ: ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଉପ ଜିଲ୍ଲାପାଳଙ୍କୁ ସିଡିଓଙ୍କ ନିର୍ଦ୍ଦେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବିଡ଼ିଓ ଏବଂ ବ୍ଲକ୍ ସରପଞ୍ଚ ସଂଘ ମଧ୍ୟରେ ଚାଲିଥିବା ବିବାଦ କଳାହାଣ୍ଡି  ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ କେସିଙ୍ଗା ବ୍ଲକ ସରପଞ୍ଚ ସଂଘର ସଭାପତି ସୁବୋଧ ରଣାଙ୍କ ନେତୃତ୍ବରେ ସରପଞ୍ଚ ସଂଘ ବିଡ଼ିଓଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିବା ବେଳେ ବ୍ୟକ୍ତିଗତ ଭାବେ କେତେକ ପଞ୍ଚାୟତର ସରପଞ୍ଚ ବିଡ଼ିଓଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ସମର୍ଥନ କରୁନଥିବା ଜଣାପଡିଛି । ତେବେ ସେ ଯାହାବି ହେଉ କେସିଙ୍ଗା ବ୍ଲକରେ କାର୍ଯ୍ୟରତ ଥିବା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମନମୁଖୀ ଶାସନ କରୁଥିବା ବେଳେ ସରପଞ୍ଚ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ପିସି ଦାବି କରୁଥିବା ନେଇ ସରପଞ୍ଚ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । କେସିଙ୍ଗା ବିଡ଼ିଓଙ୍କ ମନୋମୁଖୀ ଶାସନର ପ୍ରତିବାଦ ନେଇ ଗତ ନଭେମ୍ବର ମାସରେ ହୋଇଥିବା କେସିଙ୍ଗା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକକୁ ବ୍ଲକ ସରପଞ୍ଚ ସଂଘ ବିରୋଧ କରିଥିଲା । ସରପଞ୍ଚ ସଂଘର ସଭାପତି ସୁବୋଧ ରଣାଙ୍କ ନେତୃତ୍ବରେ ବ୍ଲକର ଅଧିକାଂଶ ସରପଞ୍ଚ ସଭାଗୃହ ବାହାରେ ବିଡ଼ିଓ ମନମୁଖୀ ଶାସନ ବିରୁଦ୍ଧରେ ଧାରଣା ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଳା ପ୍ରଶାସନ ଏହାର ଉଚିତ ତଦନ୍ତ କରି ବିଡ଼ିଓ ଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସରପଞ୍ଚ ସଂଘ ପକ୍ଷରୁ ଦାବି କରାଯାଇଥିଲା ନଚେତ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ପ୍ରସଙ୍ଗଟିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ କେସିଙ୍ଗା ବିଡ଼ିଓଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି । ଜିଲ୍ଲା ପରିଷଦ, କଳାହାଣ୍ଡି, ଭବାନୀପାଟଣା ପତ୍ର ସଂଖ୍ୟା ୪୧୬୨, ତାରିଖ-୩/୧୧/୨୦୨୨ ରିଖ ଅନୁସାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କୁ ଚିଠି କରି ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉପ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିରେ କେବେ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦିଆଯିବ ସେ ନେଇ କୈାଣସି ତାରିଖ ଉଲ୍ଲେଖ ହୋଇ ନାହିଁ । ଯାହାର ଏକ କପି କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତିଙ୍କୁ ମଧ୍ୟ ଦିଆଯାଇଛି ବୋଲି ସଭାପତି ସୁବୋଧ ରଣା ସୂଚନା ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ସରପଞ୍ଚ ସଂଘର ଅଭିଯୋଗ ଉପରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଅସନ୍ତୋଷ ପ୍ରକାଶ କରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ପ୍ରକାଶ କରିଛନ୍ତି । କେତେକ ସରପଞ୍ଚଙ୍କ ସ୍ବାର୍ଥରେ ବାଧା ହେବାରୁ ସେମାନେ ମୋତେ ବଦନାମ୍ କରିବା ପାଇଁ ମିଥ୍ୟା ଅଭିଯୋଗ କରିବା କେତେ ଦୂର ଯଥାର୍ଥ ବୋଲି ବିଡ଼ିଓ ଶ୍ରୀ ଅଦୁ କହିଛନ୍ତି । ତେବେ ଅଭିଯୋଗର ତଦନ୍ତ ହେଲା ପରେ ହିଁ ପ୍ରକୃତ ଘଟଣା କ’ଣ ତାହା ଜଣାପଡ଼ିବ । ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ ତାହାର ତଦନ୍ତ କରାଯିବ ସେ ନେଇ ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.