ବଜାରକୁ ଫେରିବ କି ନାନୋ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନିକଟରେ ରତନ ଟାଟା ଛୋଟ ନାନୋ କାର ସହ ନଜର ଆସିଥିଲେ । ସେ ଇଭି ନାନୋରେ ମୁମ୍ବାଇ ତାଜ ହୋଟେଲ୍ ଯାଇଥିଲେ । ଯାହର ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା । ଆଉ ଏବେ ସେହି ନାନୋ କାର ପୁଣି ଚର୍ଚ୍ଚାରେ ରହୁଛି । କୁହାଯାଉଛି ଟାଟା କମ୍ପାନୀ ପୁଣି ଥରେ ନାନୋ କାର୍ ଲଞ୍ଚ କରିପାରେ । ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ପ୍ରାୟ ୧୪ ବର୍ଷ ତଳେ ୨୦୦୮ରେ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ଡ୍ରିମ୍ ପ୍ରୋଜେକ୍ଟ ଟାଟା ନାନୋ ମାର୍କେଟକୁ ଆସିଥିଲା । ସ୍କୁଟର ଓ ବାଇକ୍ ଚାଳକଙ୍କ ଲାଗି ବିକଳ୍ପ ୪ ଚକିଆ ଯାନ ଥିଲା ନାନୋ କାର । ଯାହାର ପ୍ରାରମ୍ଭିକ ମୂଲ୍ୟ ଲକ୍ଷେ ଟଙ୍କା ଥିଲା । ତେବେ କଞ୍ଚାମାଲର ଦରବୃଦ୍ଧି ଓ ନାନୋ ପ୍ରତି ଲୋକଙ୍କ ଆଗ୍ରମ କମ ଯୋଗୁ କମ୍ପାନୀ ୨୦୧୮ରେ ଉତ୍ପାଦନ ବନ୍ଦ କରି ଦେଇଥିଲା ।

ଏବେ ଇଲେକ୍ଟ୍ରିକ୍ ଭେଇକିଲର ଚାହିଦା ବଢ଼ୁଥିବା ବେଳେ ଟାଟା ୨୦୨୦-୨୧ ଆର୍ଥିକ ବର୍ଷରେ ୫ ହଜାର ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୯ ହଜାରରୁ ଅଧିକ ଇଭି ଗାଡ଼ି ବିକ୍ରି କରିଛି । କମ୍ପାନୀର ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ୫୦ ହଜାର ଇଭି ଗାଡ଼ି ବିକ୍ରି କରିବା । ୨୦୨୪ ସୁଦ୍ଧା ବାର୍ଷିକ ୧ ଲକ୍ଷ ଇଲେକ୍ଟ୍ରିକ୍ କାର ବିକ୍ରି ପାଇଁ ଲକ୍ଷ୍ୟ ରଖିଛି ଟାଟା । ୨୦୨୨-୨୩ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା କମ୍ପାନୀ ୨୪ ହଜାର ଇଭି ଗାଡ଼ି ବିକ୍ରି କରିଛି ।ଏବେ ଟାଟା ନେକ୍ସନ୍ ଇଭି ସିରିଜ୍, ଟାଟା ଟିଆର୍ଗୋ ଇଭି, ଟିଗୋର ଇଭି ଓ ଏକ୍ସପ୍ରେସ୍ ଟ-ଇଭିର ବିକ୍ରି କରୁଛି । ଶୀଘ୍ର ହିଁ କମ୍ପାନୀ ଏସୟୁଭି ଟାଟା ପଞ୍ଚର ଇଭି ଆଣିବାକୁ ଯାଉଛି । ରତନ ଟାଟା ଯେଉଁ ଇଭି ନାନୋରେ ନଜର ଆସିଥିଲେ, ସେଥିରେ ୭୨ ଭୋଲ୍ଟର ପାୱରଟ୍ରେନ୍ ଓ ସୁପର ପଲିମର୍ ଲିଥିୟମ୍ ଆଇଓନ୍ ବ୍ୟାଟେରି ପ୍ୟାକ୍ ରହିଥିଲା । ଯାହାକି ଥରେ ଚାର୍ଜ କଲେ ୧୬୦ କିଲୋମିଟର ଯାଇ ପାରିବ । ଆଉ ୧୦ ସେକେଣ୍ଡରେ ଶୂନରୁ ୬୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଦୌଡ଼ି ପାରିବ । ଏବେ ନାନୋ ଇଭିକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ୁଥିବା ବେଳେ ଟାଟାର ନିଷ୍ପତ୍ତି ଉପରେ ଲୋକଙ୍କ ନଜର ରହିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.