ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରେଳଧାରଣାରୁ ଗଭୀର କ୍ଷତାକ୍ତ ଅବସ୍ଥାରେ ପଡି ରହିଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ୍ ଅନ୍ତର୍ଗତ ରାୟଗଡା ଜିଲ୍ଳାର ମୁନିଗୁଡା-ଦୋଇକାଲୁ ରେଳଷ୍ଟେସନ ମଧ୍ୟରେ ଥିବା ରେଳଧାରଣାରୁ ଗତକାଲି ଜଣେ ଅଜଣା ବ୍ୟକ୍ତିଙ୍କୁ ଗଭୀର କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାର ବୟସ ପାଖାପାଖି ୫୦ବର୍ଷ ବୋଲି ଜଣାପଡିଛି । କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଅଜଣା ବ୍ୟକ୍ତିଙ୍କୁ ପ୍ରଥମେ ମୁନିଗୁଡା ଗୋଷ୍ଠିି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମିଳିଥିବା ସୂଚନା ପ୍ରକାରେ ଅଜଣା ବ୍ୟକ୍ତି ଜଣକ ରାୟପୁରରୁ ବିଶାଖାପାଟଣମକୁ ଟ୍ରେନରେ ଯାଉଥିବା ସମୟରେ ଖସି ମୁନିଗୁଡା-ଦୋଇକାଲୁ ଷ୍ଟେସନ ମଧ୍ୟରେ କେଉଁଠି ଖସି ପଡିଥିଲେ । ଫଳରେ ସେ ଗୁରୁତର ଭାବେ ଆହାତ ହୋଇ ରେଳ ଧାରଣା କଡରେ ପଡିଥିବା ବେଳେ ରେଳବାଇ ଟ୍ରାକ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଆରପିଏଫକୁ ଜଣାଇଥିଲେ । ତେବେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ରାୟଗଡା ସରକାରୀ ରେଳବାଇ ପୋଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।