ଶ୍ରୀଲଙ୍କାରୁ ୧ ଲକ୍ଷ ମାଙ୍କଡ଼ ନେବ ଚୀନ୍

ଓଡ଼ିଆ ବାର୍ତ୍ତା/ ବେଜିଂ : ଚୀନ୍ ଏହାର ଅଜବ ଆଣ୍ଟିକ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ପାକିସ୍ତାନରୁ ଗଧ କିଣିବା ପାଇଁ ଚୀନ୍ ସମଗ୍ର ବିଶ୍ୱରେ ନିଜକୁ ପରିହାସ କରିିଥିଲା, କିନ୍ତୁ ବର୍ତ୍ତମାନ ଆଉ ଏକ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛି । ଏବେ ଚୀନ୍ ଏକ ବିଶେଷ ପ୍ରଜାତିର ମାଙ୍କଡ଼ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି । ବାସ୍ତବରେ ଚୀନ୍ ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡ଼ ଆମଦାନୀ କରିବାକୁ ନିଷ୍ପତ୍ତିି ନେଇଛି । ଏହି ପ୍ରଜାତିର ମାଙ୍କଡ଼ କେବଳ ଶ୍ରୀଲଙ୍କାରେ ଦେଖିବାକୁ ମିଳିଥାନ୍ତି । ଚୀନ୍ କହିଛି ଯେ, ଏହି ମାଙ୍କଡମାନଙ୍କୁ ଆଣି ନିଜ ଦେଶର ଥିବା ୧୦୦୦ ବିଭିନ୍ନ ପ୍ରାଣୀ ଉଦ୍ୟାନରେ ରଖିବ । ଚୀନ୍ ଶ୍ରୀଲଙ୍କାରୁ ପ୍ରାୟ ୧ ଲକ୍ଷ ମାଙ୍କଡ ଆମଦାନି କରିବାକୁ ସ୍ଥିର କରିଛି । ଶ୍ରୀଲଙ୍କାରୁ ପ୍ରତ୍ୟେକ ମାଙ୍କଡ ଯେପରିି ସୁରକ୍ଷିତ ଭାବେ ଚୀନକୁ ଅଣାଯିବ ସେଥିଲାଗି ବିଶେଷ ଗୁରୁତ୍ୱ ଦିଆଯିବ । ଚୀନ୍ ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି ବୋଲି ସ୍ପଷ୍ଟ କରିଛି । ଏହି ଘଟଣାରେ ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ଆମ ଦେଶରେ ମାଙ୍କଡ଼ର ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କଲାଣି । ଏହି ମାଙ୍କଡମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି । ମାଙ୍କଡ଼ମାନେ ଚାଷୀଙ୍କ ଫସଲରେ ବିପୁଳ କ୍ଷତି ଘଟାଉଛନ୍ତି । ଗତ ବର୍ଷ କେବଳ ଦୁଇ କୋଟି ନଡ଼ିଆ ନଷ୍ଟ କରିଦେଇଥିଲେ ମାଙ୍କଡ଼ । ଏମିତି କି ଅନେକ ସମୟରେ ମାଙ୍କଡ଼ ଆକ୍ରମଣରେ ଲୋକେ ମୃତାହତ ମଧ୍ୟ ହେଉଛନ୍ତି । ଶ୍ରୀଲଙ୍କାର କୃଷି ମନ୍ତ୍ରୀ କହିଛନ୍ତି ଯେ, ଏହା ଦେଶର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହି କାରଣରୁ ସରକାର ଏହି ମାଙ୍କଡଗୁଡିକ ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଚୀନ୍‌କୁ ରପ୍ତାନୀ କରିବାକୁ ଶ୍ରୀଲଙ୍କା ସରକାର ରାଜି ନାହାନ୍ତି । କାରଣ ଚୀନ୍ ଏହି ମାଙ୍କଡମାନଙ୍କୁ ଭଲରେ ରଖିବ ନାହିଁ । ସେମାନଙ୍କର ମାଂସ ପାଇଁ କିମ୍ବା ଡାକ୍ତରୀ ଔଷଧ ପରୀକ୍ଷା ପାଇଁ ବ୍ୟବହାର କରିବ । ତଥାପି ଚୀନ୍‌ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ବିକଳ୍ପ ମଧ୍ୟ ନାହିଁ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.