ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ରାୟଗଡା ଜିଲ୍ଳା କଲ୍ୟାଣ ବିଭାଗ ଅଧିନସ୍ଥ ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ପ୍ରାୟ ୧୨୦ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ତାଲିକା ପ୍ରସ୍ତୁତ ହେଉଥିବା ଜଣାପଡିଛି । ବିଭାଗୀୟ ଶାସନ ସଚିବଙ୍କ ସ୍ୱାକ୍ଷାରିତ ଆଦେଶନାମା ୫୮୬୪/୨୨/୩/୨୩ ମୁତାବକ ଜିଲ୍ଳା ଭିତରେ ଗୋଟିଏ ବିଦ୍ୟାଳୟରେ ୬ବର୍ଷ ଚାକିରି କରିଥିବା ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ହେବ । କିଛି ଶିକ୍ଷକଶିକ୍ଷୟତ୍ରୀଙ୍କୁ ୨୦୧୯ ବର୍ଷରୁ ଚଳିତ ୨୦୨୩ ବର୍ଷରେ ବଦଳି କରାଯାଇଥିବା ବେଳେ ପ୍ରାୟ ଶତାଧିକ ଶିକ୍ଷକ ସେମାନଙ୍କର ମନ ମୁତାବକ ବଦଳି ହୋଇ ପୁର୍ନବାର ପୁରୁଣା ବିଦ୍ୟାଳୟକୁ ଫେରିଛନ୍ତି । ଏପରିକି କିଛି ଶିକ୍ଷକମାନେ ଏକ ବର୍ଷ ଭିତରେ ୨ରୁ ୩ଟି ବିଦ୍ୟାଳୟ ପରିବର୍ତନ କରିପାରିଛନ୍ତି । ଏଠାରେ ଜିଲ୍ଳା ମଙ୍ଗଳ ଅଧିକାରୀ ନିଜର ଆନୁଗତ୍ୟମାନଙ୍କୁ କୋହଳ ମନୋଭାବ ପୋଷଣ କରିଥିବା ବେଳେ ୧୦ରୁ ୧୫ବର୍ଷ ଗୋଟିଏ ବିଦ୍ୟାଳୟରେ ରହିଥିବା ଶିକ୍ଷକଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ସେହିପରି ଗଣଶିକ୍ଷା ବିଭାଗର କିଛି ଶିକ୍ଷକଶିକ୍ଷୟତ୍ରୀ ୨୦୦୮ ମସିହାରୁ ଜିଲ୍ଳା କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭାଗୀୟ ବଦଳି ନିୟମ ଏମାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଉ ବୋଲି କଲ୍ୟାଣ ବିଭାଗର କିଛି ଶିକ୍ଷକ ମତ ରଖିଛନ୍ତି । କଲ୍ୟାଣ ବିଭାଗରେ ଶିକ୍ଷକଙ୍କ ଅଭାବକୁ ନେଇ ଏହାର ପୂରଣ ଦିଗରେ ଦୀର୍ଘ ୧୫ବର୍ଷ ଧରି କଲ୍ୟାଣ ବିଭାଗ ବିଦ୍ୟାଳୟଗୁଡିକରେ ଗଣଶିକ୍ଷା ବିଭାଗର ଶିକ୍ଷକମାନେ କାର୍ଯ୍ୟରତ ଅଛନ୍ତି । କେବଳ ମଝିରେ ସେମାନଙ୍କୁ ନିଜ ବିଦ୍ୟାଳୟକୁ ଫେରାଇ ନେଇ ପୁର୍ନବାର କଲ୍ୟାଣ ବିଭାଗ ବିଦ୍ୟାଳୟକୁ ଡେପୁଟେସନ୍ ନାମରେ ନିଯୁକ୍ତ କରାଯାଉଛି । ବର୍ତମାନ କଲ୍ୟାଣ ବିଭାଗ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହାର ଯୋଗ୍ୟ ତାଲିକା ପ୍ରକାଶ କରାଯାଇଛି । ଏପରି ସ୍ଥଳେ ନିଜ ବିଭାଗର ଶିକ୍ଷକମାନଙ୍କ ପାଇଁ ଯେଉଁ ନୀତି ଲାଗୁ ହେଉଛି ସେହି ବିଭାଗର କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଜିଲ୍ଳା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି ।