ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଅନ୍ୟତମ ପୁରାତନ ଶୈବ ପୀଠ ରୁପ୍ରା-ଖମ୍ବପଡା ବିଶେଶ୍ୱର ପୀଠରେ ଆଗାମୀ ଦିନରେ ହେବାକୁ ଯାଉଥିବା ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମହାପ୍ରଭୁ ବିଶେଶ୍ୱର ଓ ମା’ ପାର୍ବତୀଙ୍କ କର୍ତ୍ତା ଚୟନ ପୂର୍ବକ ଥାଳଉଠା କାର୍ଯ୍ୟକ୍ରମ ସମାପନ ହୋଇଛି। ପ୍ରାରମ୍ଭରେ ଉଭୟ କର୍ତ୍ତାଙ୍କ ଉପସ୍ଥିତିରେ ସୂର୍ଯ୍ୟ ପୂଜା ପରେ ପାର୍ଶ୍ୱ ଦେବତା, ବାବା ବିଶେଶ୍ୱର ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। କଳାହାଣ୍ଡିର ଶୈବ ପରମ୍ପରାରେ ଦୀର୍ଘଦିନରୁ ଆୟୋଜିତ ବିଶେଶ୍ୱର ପୀଠର ଶୀତଳଷଷ୍ଠୀରେ ଏଥର ଶିବ କର୍ତ୍ତା ରୂପେ ଧଅଁରମାଲର ବ୍ରଜ ରଣା ଓ ବିଦୁସୁତା ରଣା ଏବଂ ପାର୍ବତୀ କର୍ତ୍ତା ରୂପେ ସାଲିଙ୍ଗର ଯୁଜେଷ୍ଟି ସାହୁ ଓ ମତି ସାହୁ ଦାୟିତ୍ୱ ନିର୍ବାହ କରିବେ। ଆସନ୍ତା ମେ ୨୪ରେ ଜ୍ୟେଷ୍ଠ ପଞ୍ଚମୀ ଦିନ ଶିବବିବାହ ଆୟୋଜିତ ହେବ। ପରଦିନ ଶୀତଳଷଷ୍ଠୀର ରୀତିନୀତି ଆୟୋଜିତ ହେବା ପ୍ରସାଦ ସେବନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଆଜିର ଥାଳଉଠାକୁ ପୂଜକ ଭାବେ ପୂର୍ଣ୍ଣଚନ୍ଦ୍ର ପୁଝାରି ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ହରେକୃଷ୍ଣ ସାହୁ, ସୁବାଷ ପୁଟେଲ, ଜେମନ୍ତ ପୁଟେଲ, ଗୋପାଳ ପୁଝାରି, ଗୋବିନ୍ଦ ସାହୁ, ଡମ୍ବରୁ ବାଗ, ସୁଜିତ ରଣା, ତୁମେଶ୍ୱର ରଣାଙ୍କ ସହ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ।