କାଳୀ ମନ୍ଦିରରେ ରାଜସ୍ୱ ବିଭାଗୀୟ ଅଧିକାରୀଙ୍କ ମାପଚୁପ୍ ପ୍ରସଙ୍ଗ: ମନ୍ଦିରର ସୁରକ୍ଷା ନେଇ ଜିଲ୍ଳାପାଳଙ୍କୁ ଭେଟିଲେ ଶ୍ରଦ୍ଧାଳୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ନିକଟସ୍ଥ ବ୍ଳକ ଛକରେ ଥିବା କାଳୀ ମନ୍ଦିରରେ ଗତ ଜୁଲାଇ ୧ ତାରିଖରେ ରାଜସ୍ୱ ବିଭାଗୀୟ ଅଧିକାରୀମାନେ ଆସି ମାପଚୁପ୍ କରିବା ପ୍ରସଙ୍ଗରେ ଆଜି ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି କାଳୀ ମନ୍ଦିରର ସୁରକ୍ଷା,କାଳୀପୂଜା ମହୋତ୍ସବ ଓ ସହରବାସୀଙ୍କ ଆସ୍ଥା ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେବା ନିମନ୍ତେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ରାୟଗଡାର ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବିମାନେ । ତେବେ ମନ୍ଦିର ଥିବା ଜାଗା ଜବରଦଖଲରେ ଅଛି କି ନାହିଁ ବୋଲି ମାପଚୁପ୍ କରାଯାଇଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ମା କାଳୀ ମନ୍ଦିରକୁ ନେଇ ପ୍ରଶାସନ ମଧ୍ୟ ଅବଗତ ଅଛି ତେଣୁ ଆଗାମୀ ଦିନରେ ମନ୍ଦିର ନାମରେ ଜାଗାଟି ନାମିତ କରାଯାଇ ପାରେ ତେଣୁ ବିଭାଗୀୟ ଅଧିକାରୀମାନେ ମାପଚୁପ୍ କରିଛନ୍ତି ବୋଲି ଜିଲ୍ଳାପାଳ ଜଣାଇବା ପରେ ଖୁସିବ୍ୟକ୍ତ କରି ଫେରିଥିଲେ ଶ୍ରଦ୍ଧାଳୁମାନେ । ୧୯୮୨ ମସିହାରେ ପଂଜୀକୃତ ହୋଇଥିବା ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ୍ ରାୟଗଡା ଦ୍ୱାରା ପରିଚାଳିତ ହୋଇ ଆସୁଅଛି କାଳୀ ମନ୍ଦିର । ଜିଲ୍ଳା ଗଠନର ୧୦ବର୍ଷ ପୂର୍ବରୁ ତଥା ପର୍ଯ୍ୟାୟକ୍ରମେ ୪୨ବର୍ଷ ଧରି କାଳୀ ମଣ୍ଡପରେ କାଳୀପୂଜା ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମନ୍ଦିର ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ଧର୍ମୀୟ ଭାବନା ସଂଲଗ୍ନୀତ ହୋଇରହିଛି । ତେବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଗତ ମେ ୨୫ତାରିଖରେ କାଳୀ ମନ୍ଦିର ଥିବା ସ୍ଥାନରେ ନୂତନ ମନ୍ଦିର ନିର୍ମାଣ ଓ ମନ୍ଦିର କମିଟି ବିରୁଦ୍ଧରେ ପ୍ରଶ୍ନ ଉଠାଇ ଜିଲ୍ଳାପାଳଙ୍କୁ ସୁପାରିଶ କରିଥିଲେ । ସେଥିରେ ସେ ମନ୍ଦିରର ଅଧିକ ଉଚ୍ଚତାକୁ ନେଇ ପ୍ରଶ୍ନ ଉଠାଇବା ସହ ନକ୍ସଲ ପ୍ରବଣ ରାୟଗଡାରେ ତାଙ୍କ ବାସଭବନ ସହ ଜିଲ୍ଳାପାଳ ଏବଂ ଡିଏଫଓଙ୍କ ବାସଭବନକୁ ଅସୁରକ୍ଷିତ ଥିବା ଦର୍ଶାଇଛନ୍ତି । ଗତ ଦିନରେ ଜିଲ୍ଳା ଏସ.ପି.ଙ୍କ ବାସଭବନ ନିକଟରେ ଥିବା କାଳୀ ମନ୍ଦିରରେ ହୁଣ୍ଡି ଚୋରି ଘଟଣାରେ ଗଣମାଧ୍ୟମ ସହ ସହରବାସୀ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପୋଲିସ ପ୍ରଶାସନ ଉପରେ ସମାଲୋଚନା କରିଥିଲେ । ଯାହାକୁ ନେଇ ପୋଲିସ ପ୍ରଶାସନ ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ଗ୍ରହଣ କରିଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଧରିଛି । ଆଜି ଜିଲ୍ଳାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ ବେଳେ କିଶୋରଚନ୍ଦ୍ର ପଣ୍ଡା, ଜନ୍ମେଜୟ ସ୍ୱାଇଁ, ବସନ୍ତ ଉଲାକା, ଶିବ ପଟ୍ଟନାୟକ, ଶିବାଜୀ ଦାସ, ସନ୍ତୋଷ ଦଳାଇ, ଗୋପ ରଂଜନ ବକ୍ସିପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.