ମହାଳିଙ୍ଗ ଗାଁରେ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତି ଗୁରୁତର ଘଟଣା: ମାସେ ପରେ ମଧ୍ୟ ଆକ୍ରମଣକାରୀକୁ ଧରିବାରେ ପୋଲିସ ବିଫଳ, କେଗାଁ ଥାନା ସମ୍ମୁଖରେ ଧାରଣାରେ ବସିଲା ଡ୍ରାଇଭର ମହାସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତ ମାସ ତିନି ତାରିଖ ବିଳମ୍ବିତ ରାତିରେ କେଗାଁ ଥାନା ମହାଲିଙ୍ଗ ଗ୍ରାମର ନାରଣ କେତକୀ ର ଟାଙ୍ଗିଆ ଚୋଟରେ ହଜାରୁ କେତକି ଅତି ଗୁରୁତ୍ୱର ହୋଇ ବର୍ତ୍ତମାନ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମରଣ ସହିତ ସଂଗ୍ରାମ କରୁଛନ୍ତି । ଘଟଣାକୁ ଏକ ମାସ ହୋଇଥିଲେ ସୁଦ୍ଧା ଆକ୍ରମଣକାରୀକୁ ପୋଲିସ ଧରିବାରେ ବିଫଳ ହୋଇଛି । ହଜାରୁଙ୍କ ପରିବାର ତଥା ଡ୍ରାଇଭର ସଙ୍ଘକୁ ପୋଲିସ ସମ୍ପୃକ୍ତ ଆକ୍ରମଣକାରୀକୁ ଧରିବାକୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ପୋଲିସ ଏଥିରେ ବିଫଳ ହେବାରୁ ଆଜି ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଙ୍ଘ ହଜାରୁ କେତକୀଙ୍କ ପରିବାରକୁ ଧରି କେଗାଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଆକ୍ରମଣକାରୀକୁ ନଧରିବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଜଣାପଡିଛି । ଅପରପକ୍ଷରେ ଏଠାରେ ପୋଲିସର ପାରିବା ପଣିଆ ଉପରେ ଲୋକେ ଆଙ୍ଗୁଳି ଉଠାଇଛନ୍ତି । ପୋଲିସ ଯଦି ଏହି ଘଟଣାକୁ ଗୁରୁତର ସହିତ ନେଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତାହେଲେ ଆକ୍ରମଣକାରୀ ନାରଣ ଆଜି ହାଜତରେ ଥାନ୍ତା ବୋଲି ଚର୍ଚ୍ଚା ହେଉଛି । ପୋଲିସ ଏଠି ଢିଲା ହେବାରୁ ଆକ୍ରମଣକାରୀକୁ ଲୁଚିବାକୁ ସୁଯୋଗ ମିଳିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ହଜାରୁ କେତକି ଜଣେ ବୋଲେରୋ ଡ୍ରାଇଭର ହୋଇଥିବା ବେଳେ ସେ ଗତ ମାସ ତିନି ତାରିଖ ରାତ୍ରିରେ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଜୀବନରେ ମାରି ଦେବାର ଉଦ୍ଦେଶ୍ୟ ରଖି ନାରଣ କେତକୀ ହଠାତ ଟାଙ୍ଗିଆରେ ଆକ୍ରମଣ କରିଥିଲା । ତେବେ ହଜାରୁ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ବହୁ କଷ୍ଟରେ ପଡୋଶୀ ଘର ଲୋକଙ୍କୁ ଡାକିଥିଲା । ତାଙ୍କୁ ପଡୋଶୀଲୋକେ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ପ୍ରଥମେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ପୁଣି ସେଠାରୁ ତାଙ୍କୁ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ବର୍ତ୍ତମାନ ମଧ୍ୟ ତାଙ୍କର ଚିକିତ୍ସା ଚାଲିଛି । ଏ ସଂକ୍ରାନ୍ତରେ କେଗାଁ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦେଲାପରେ ପୋଲିସ ପକ୍ଷରୁ କେସ ନଂ ୯୫/୨୩ ରେ ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଏଥି ପୂର୍ବରୁ ପୋଲିସର ତଦନ୍ତ ଉପରେ ଅସନ୍ତୋଷ ହୋଇ ଡ୍ରାଇଭର ମହାସଂଘ ପରିବାର ଲୋକଙ୍କ ସହିତ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.