ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିଶୁ ମନ୍ଦିର ଛକରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରସ୍ଥତିକରଣ କାର୍ଯ୍ୟ ଆରମ୍ଭ ହେବ । ଶିଶୁ ମନ୍ଦିର ଛକରୁ ପ୍ରାଣୀ ଚିକିତ୍ସାଳୟ ଯାଏଁ ୱାନ ୱେ ରାସ୍ତା ହେବା ସହ ରାସ୍ତା ପାର୍ଶ୍ଵରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯିବ । ଏଥିପାଇଁ ଗତ ରବିବାର ଡାକବାଜୀ ଯନ୍ତ୍ର ମାଧ୍ୟମରେ ପୁର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ପାର୍ଶ୍ଵରେ ରାସ୍ତାକୁ ଜବର ଦଖଲ କରି ଦୋକାନ କରିଥିବା ଏବଂ ବସ୍ତି ମଝିରେ ଘର ନିର୍ମାଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାସ୍ତା ମଝିରୁ ୩୩ ଫୁଟ ସମୁଦାୟ ୬୬ ଫୁଟ ରାସ୍ତା ଦୁଇକଡ଼ ଜାଗା ଖାଲି କରିବାକୁ ଘୋଷଣା କରି ଅବଗତ କରାଯିବାରୁ ରାସ୍ତା ଜବର ଦଖଲ କରିଥିବା ଦୋକାନୀ ମାନେ ସେମାନଙ୍କ ଦୋକାନ ଓ ଘର ସବୁ ସୋମବାର ରୁ ଭାଙ୍ଗିବା ଆରମ୍ଭ କରିଛନ୍ତି । ହେଲେ ଉଠା ଦୋକାନୀ ମାନେ ତତ୍ପରତା ଦେଖାଇ ନିଜ ନିଜ ଦୋକାନ ଗୃହ ଓ କେବିନ ଗୁଡିକ ସ୍ଥାନାନ୍ତର କାର୍ଯ୍ୟ ଯୋରସୋର ଭାବରେ ଆରମ୍ଭ କରିଦେଇଥିବା ବେଳେ କିଛି ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନର ମାଲିକମାନେ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଏବଂ କାନଉ ନଥିବା ଭଳି ଜଣାପଡୁଛି । ଉଠା ଦୋକାନୀମାନେ ନିଜ ନିଜ ଦୋକାନ ଗୁଡିକ ଉଠାଇ ନେଇ ରାସ୍ତା ପାର୍ଶ୍ୱସ୍ଥ ଜାଗା ଖାଲି କରି ନିଜ ନିଜ ବ୍ୟବସ୍ଥା ଦେଖି ସାରିଥିବା ବେଳେ ବଡ ବଡ ଦୋକାନ ମାଲିକ ଏବଂ ଘର ମାଲିକମାନେ ବିଭାଗର ଘୋଷଣା ନାମାକୁ ଖାତିର କରୁନଥିବା ଭଳି ଘଟଣାକୁ ନେଇ ବ୍ୟବସାୟୀ ଉଠା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ଭଳି ଅଭିଯୋଗ ହେଉଛି । ହେଲେ ଏବିଷୟରେ ନର୍ଲା ତହସିଲଦାର ଶଙ୍କର ବାଗଙ୍କ ମତାମତ ନେବାରୁ ସେ କହିଲେ ଆମେ ମାଇକ ଯୋଗେ ଘୋଷଣା କରିବା ପରେ କେତେକ ଦୋକାନୀ ସେମାନଙ୍କର ଦୋକାନ ଗୁଡିକ ଭାଙ୍ଗି ସାରିଛନ୍ତି । ଆଉ ଯେଉଁମାନେ ଅଦ୍ୟାବଧି ଭାଙ୍ଗି ନାହାନ୍ତି ଆମ ଆରଆଇ ଏବଂ ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପୁଣିଥରେ ଭେରିଫିକେସନ କରି ରିପୋର୍ଟ ପ୍ରଦାନ କରିବେ । ତାପରେ ଦୋକାନ କିମ୍ବା ଘର ଭାଙ୍ଗି ନଥିବା ବ୍ୟକ୍ତି ବେଶେଷଙ୍କୁ କୈଫତ ମାଗି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ଏବେତ ବର୍ଷା ଲାଗି ରହିଛି । ବର୍ଷା ହେଉଥିଲେ ଏକାମ କରାଯିବ ନାହିଁ । ହେଲେ ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।