୬ ଏକର ୩୦ସେଂଟ ଜାଗା ପରିବର୍ତେ ଆବଶ୍ୟକ ପଡୁଛି ଅଧିକ ଜମି :ଜିଲ୍ଳାପାଳ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଏକ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସରକାରଙ୍କ ନିକଟକୁ ପଠାଯାଇ ପାରିନାହିଁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ଡିପିଆର ରିପୋର୍ଟ । ଯାହାକୁ ନେଇ ଏବେ ଶ୍ରଦ୍ଧାଳୁ ତଥା ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏକ ମାସ ମଧ୍ୟରେ ସରକାରଙ୍କ ପାଖକୁ ଡିପିଆର ରିପୋର୍ଟ ଆସିଗଲେ ଆସନ୍ତା ୬ରୁ ୮ମାସ ମଧ୍ୟରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ହୋଇଯିବ ବୋଲି ଗତ ଜୁନ୍ ମାସ ୭ ତାରିଖରେ ରାୟଗଡା ଗସ୍ତରେ ଆସି ପ୍ରକାଶ କରିଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ତେବେ ଆଜକୁ ଏକ ମାସରୁ ଅଧିକ ସାତ ଦିନ ବିତିଯାଇଥିଲେ ମଧ୍ୟ ଡିପିଆର ରିପୋର୍ଟ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି । ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ମା ମଝିଘରିଆଣୀ ମନ୍ଦିରର ୬ ଏକର ୩୦ ସେଂଟ ଜାଗା ପରିବର୍ତେ ଆହୁରି ଅଧିକା ଜମିର ଆବଶ୍ୟକତା ପଡୁଥିବାରୁ ରାୟଗଡା ରାଜସ୍ୱ ବିଭାଗ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି ଏବଂ ଡିପିଆର ରିପୋର୍ଟ ପ୍ରସ୍ତୁତ ପ୍ରକ୍ରିୟା ଚାଲୁ ରହିଥିବାରୁ ସରକାରଙ୍କ ନିକଟକୁ ଯଥାଶୀଘ୍ର ଡିପିଆର ରିପୋର୍ଟ ପଠାଯିବ ବୋଲି ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ସୂଚନା ଦେଇଛନ୍ତି । ସେହିପରି ମା ମଝିଘରିଆଣୀ ମନ୍ଦିରର ବିକାଶକୁ ନେଇ ତଥା ଭବିଷ୍ୟତରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇବା ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଇ ବିଳମ୍ବ ହେଲେ ମଧ୍ୟ ଏକ ଉଚ୍ଚକୋଟିର ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ଭୁବନେଶ୍ୱରର ଖ୍ୟାତାନାମା ଆର୍ଟିଟେକ୍ଟ ଇଂ.ଅକ୍ଷୟ କୁମାର ବେଉରିଆଙ୍କୁ ଜିଲ୍ଳାପାଳ ମହୋଦୟାଙ୍କ ତତ୍ୱାବଧାନରେ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି । ଏକ ଭଲ ଡିପିଆର ରିପୋର୍ଟ ପ୍ରସ୍ତୁତ ନିମନ୍ତେ ମନ୍ଦିରର ୬ଏକର ୩୦ସେଂଟ ଜମି କମ ପଡୁଥିବା ଯୋଗୁଁ ଏହାର ଆଖପାଖ ଅଂଚଳରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ପାଖାପାଖି ୨୦ଏକକରୁ ଉର୍ଦ୍ଧ ଜମିକୁ ନେଇ ଏକ ଭଲ ଡିପିଆର ରିପୋର୍ଟ ପ୍ରସ୍ତୁତ ହୋଇପାରିବ ବୋଲି ଆର୍ଟିଟେକ୍ଟ ପ୍ରକାଶ କରିଥିବା ନେଇ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ବିଡିକା କହିଛନ୍ତି । ଏହି ଡିପିଆର ରିପୋର୍ଟରେ ପାର୍କିଂ, ପାନ୍ଥଶାଳା, ପାନୀୟ ଜଳ ବ୍ୟବସ୍ଥା, ଦୋକାନଗୃହ, ପାର୍କ ଭଳି ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ସ୍ଥାନ ଦିଆଯିବ ବୋଲି ଜଣାପଡିଛି ।
ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦର୍ଶନ ପାଇଁ ରାୟଗଡା ଜିଲ୍ଳା ତଥା ପଡୋଶୀ ଜିଲ୍ଳା,ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ, ଝାରଖଣ୍ଡ ଭଳି ଅନ୍ୟ ବାହାର ରାଜ୍ୟରୁ ନିୟମିତ ଭାବେ ଶତାଧିକ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ପୂର୍ବରୁ ମନ୍ଦିରଟି ରେଳବାଇ ଜାଗାରେ ସ୍ଥାପନା ହୋଇ ଥିବାରୁ ମନ୍ଦିର ପରିଚାଳନା କମିଟି ଏଠାରେ କୈାଣସି ପ୍ରକାର ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ପାରୁ ନ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକୀୟ ସେବା ତଥା ବ୍ୟବସ୍ଥା କରିପାରୁ ନ ଥିଲେ । ସହରବାସୀଙ୍କ ଦୀର୍ଘ ବର୍ଷର ଦାବି କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଗତ ଜୁନ୍ ମାସ ୭ ଓ ୮ ତାରିଖ ଦୁଇ ଦିନ ଧରି ରାୟଗଡା ଜିଲ୍ଳା ଗସ୍ତରେ ଆସିଥିଲେ । ୭ ତାରିଖ ଦିନ ସଂଧ୍ୟାରେ ମା ମଝିଘରିଆଣୀ ମନ୍ଦିର ପରିଦର୍ଶନରେ ଯାଇ ମାଁଙ୍କ ପୂଜାର୍ଚ୍ଚାନ କରିବା ସହ ଦର୍ଶନ ଲାଭ କରିଥିଲେ । ମନ୍ଦିରର ବିକାଶ ଦିଗ ଉପରେ ମନ୍ଦିର ପରିଚାଳନା କମିଟି ଏବଂ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ତଥା ସହରବାସୀଙ୍କ ଉପସ୍ଥିତିରେ ମନ୍ଦିର ଗଢି ଉଠିଥିବା ରେଳବାଇ ଜାଗାକୁ ସରକାର ମାଗଣାରେ ଯୋଗାଇ ଦେବାର ପ୍ରତିଶୃତି ଦେବା ସହ ମନ୍ଦିରର ରୂପାନ୍ତରଣ ପାଇଁ ଜିଲ୍ଳାପାଳ ଏବଂ ମନ୍ଦିର ପରିଚାଳନା କମିଟିକୁ ଏକ ମାସ ମଧ୍ୟରେ ଡିପିଆର ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜୁନ୍ ୨୧ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ ଏକର ୩୦ସେଂଟ ରେଳବାଇ ଜାଗା ମନ୍ଦିରକୁ ହସ୍ତାନ୍ତର ନେଇ ଘୋଷଣା ହୋଇଥିବା ବେଳେ ମନ୍ଦିର ରୂପାନ୍ତରଣ ପାଇଁ ଆହୁରି ଅଧିକ ଜମିର ଆବଶ୍ୟକତା ପଡୁଥିବାରୁ ଡିପିଆର ପ୍ରସ୍ତୁତରେ ବିଳମ୍ବ ହେଉଥିବା ଜଣାପଡିଛି । ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ରାୟଗଡା ଗସ୍ତ କରି ଫେରିବା ପରେ ଜିଲ୍ଳାର ୧୧ଗୋଟି ବ୍ଳକର ବିଭିନ୍ନ ଧାର୍ମିକସ୍ଥଳୀଗୁଡିକୁ ଉନ୍ନତିକରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ୧୫୫ଟି ପ୍ରକଳ୍ପ ନିମନ୍ତେ ୧୪୮୧ କୋଟି ଟଙ୍କା ଅନୁଦାନ ରାଶି ଜିଲ୍ଳାକୁ ପ୍ରଦାନ କରାଯାଇଛି । କିନ୍ତୁ ମା ମଝିଘରିଆଣୀ ମନ୍ଦିରର ଡିପିଆର ରିପୋର୍ଟ ପ୍ରସ୍ତୁତ ହୋଇ ନ ଥିବାରୁ କୈାଣସି ଅନୁଦାନ ରାଶି ସରକାରଙ୍କ ତରଫରୁ ପ୍ରଦାନ କରାଯାଇପାରିନାହିଁ ।