ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ଧରଣୀପିଠରେ ଆଜି କାଦୋଯାତ୍ରା ପାରମ୍ପରିକ ରିତି ନିତି ଅନୁସାରେ ପାଳିତ ହୋଇଯାଇଛି। ଆଦି ସଂସ୍କୃତିର ଏହି ମହାନ ପର୍ବ ପାଇଁ ଉତ୍ସବମୁଖର ହୋଇ ଉଠିଛି ଦେବଗିରି ବୁଢିପଦର ମାଟି। ପ୍ରାଚୀନ କୃଷି ସଭ୍ୟତାର ଏହି ପାର୍ବଣରେ ମାଟି ମାଁ ପ୍ରତି କୃତଜ୍ଞତା ଜ୍ଞାପନ କରିଥାଏ ଚାଷୀ। ଶ୍ରାବଣ ମାସରେ ଚାଷ କାର୍ଯ୍ୟ ଆଗେଇ ଚାଲିଥାଏ। ଏହି ସମୟରେ କାଦୋ ଯାତ୍ରା କରିବା ପରେ ତଳି ରୋପଣ ଓ ବେଉଷଣ କାମ ଆରମ୍ଭ ହୋଇଥାଏ। କାଦୋ ଯାତ୍ରା ଦିନ ଧରଣୀ ପିଠରେ କୁକୁଡ଼ା, ମଦ୍ୟ ଆଦି ଅର୍ପଣ କରି ଉତ୍ତମ ଫସଳର କାମନା କରା ଯାଇଥାଏ। ଆଜି ବୁଢିପଦର ସ୍ଥିତ ଧରଣୀପିଠରେ ଗାଁର ଗୈାନ୍ତିଆ କୁବେର ମାଝୀ ପୂଜାର୍ଚ୍ଚନା କରିଥିଲେ। କଳାହାଣ୍ଡି ଆଦିବାସୀ ସଂସ୍କୃତିର ପର୍ବପର୍ବାଣୀ ଯଥା; ଭୀମା ବିହା, ଆମ୍ ନୂଆ, ଡୁମେର ନୂଆ, କେନ୍ଦୁ ନୂଆ, ଜେଠୁଆ ଚୋରୋ, ମାଏଲି ଚୋରୋ, ରେଙ୍ଗେଘେଚେ, ପାଁଚେ ପିଦର, ସାତେ ପିଦର, କେଡୁ, ଧୁଇଲି, ମାଏଟ ମତାରି ପରି ‘କାଦୋ ଯାତ୍ରା’ ବା ‘ଅକଡା ଘିଚା’ ଏକ ମହାନ ପର୍ବ ଭାବେ ପାଳିତ ହୋଇଥାଏ। ଏଥିରେ ସାନ ଗୈାନ୍ତିଆ ଧନେଶ୍ଵର ମାଝୀ ଓ ଲୋକସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ ଉପସ୍ଥିତ ରହିଥିଲେ।