ଆଶ୍ରମ ସ୍କୁଲରେ ୬୧ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଗୋବରଘାଟି ସରକାରୀ ହାଇସ୍କୁଲ ହଷ୍ଟେଲର ୬୧ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ୪ ଜଣ ନିବେଦିତା ସଏ, ତିଳୋତ୍ତମା ବାନରା, ସୁଚିସ୍ମିତା ଦେଓଗମ୍‌ ଓ ରଞ୍ଜୁ ମାଝିଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ୫ ଜଣ ବବିତା ମୁଣ୍ଡା, ଦମୟନ୍ତୀ ଟୁଡ଼ୁ, ଶିଖା ମଲିକ, ପଦ୍ମାବତୀ ହେସା, ଅନିତା ହେମ୍ବ୍ରମଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜଣେ ଛାତ୍ରୀ ସୁକାନ୍ତି ଜାମୁଡ଼ାଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣାଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀଦଳ ହଷ୍ଟେଲରେ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି ପ୍ରଧାନଶିକ୍ଷକ ଅଜୟ କୁମାର ପରିଡ଼ା କହୁଥିଲେ ମଧ୍ୟ ସମସ୍ତ ଅନ୍ତେବାସୀ ଓ ତାଙ୍କ ଅଭିଭାବକ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗୋବରଘାଟି ହାଇସ୍କୁଲ ପରିସରରେ ଥିବା ହଷ୍ଟେଲର ୨୦୦ ଛାତ୍ର ଓ ୧୦୦ ଛାତ୍ରୀ ମୋଟ୍ ୩ ଶହ ଛାତ୍ରଛାତ୍ରୀଙ୍କୁ ଗତ ୧୦ ତାରିଖରେ ଏଠାରୁ ଦେଢ଼ କିଲୋମିଟର ଦୂର ବେଲହାରୀ ଆଶ୍ରମ ସ୍କୁଲ ପରିସରରେ ନବନିର୍ମିତ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିଲା। ୧୨ ତାରିଖରେ ୨୫ ଜଣ ଛାତ୍ରୀ ଓ ୭ ଜଣ ଛାତ୍ର ଏବଂ ଗତକାଲି ଆଉ ୧୦ ଜଣ ଛାତ୍ରୀ ଓ ୯ ଜଣ ଛାତ୍ରଙ୍କ ସ୍ବାସ୍ଥ୍ୟ‌ାବସ୍ଥ‌ା ବିଗିଡ଼ି ଯାଇଥିଲା। ଗତକାଲି ଠାରୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୪ ଜଣ ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ବାରିକ, ଡାକ୍ତର ଶୁଭାଶିଷ ଜେନ‌ା, ଡାକ୍ତର ବ୍ରହ୍ମାବରଦା ପ୍ରିୟଦର୍ଶିନୀ ଓ ଡାକ୍ତର ନୀଳାଦ୍ରି ପଣ୍ଡା, ସାଧାରଣ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରଶ୍ମିପ୍ରଭା ଖଟୁଆ, ଫାର୍ମାସିଷ୍ଟ କାର୍ତ୍ତିକ ଚନ୍ଦ୍ର ସାମଲ ଏଠାରେ ନିୟୋଜିତ ଅଛନ୍ତି। ବିଭାଗୀୟ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରମେଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସୂକ୍ଷ୍ମ ଜୀବବିଜ୍ଞାନୀ ନିଝୁମ୍ ମହାପାତ୍ର ସଦଳବଳ ବେଲହାରୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ତେବ‌ାସୀମାନେ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହକରି ଏହାକୁ ପରୀକ୍ଷଣ ପାଇଁ ପଠାଇଥିବା ସୂଚନା ମିଳିଛି। ନବନିର୍ମିତ ‌ହଷ୍ଟେଲର ନିର୍ମାଣ କାର୍ଯ୍ୟ ପ୍ରାୟ ୩ ମାସ ପୂର୍ବରୁ ଶେଷ ହୋଇଥିଲା। ଏଠାକାର ପାଣିଟାଙ୍କିରେ ବହୁଦିନର ପାଣି ରହିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହାବାଦ୍ ରୋଷେଇ ଘର ପରିବେଶ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ଏ ସଂପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ନନ୍ଦଙ୍କୁ ପଚାରିବାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି କହନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.