୩୭୭ ଗୋଟି ଶିକ୍ଷାନୁଷ୍ଠାନର ୨୬୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମିଷ୍ଟାନ୍ନ ବ୍ୟବସ୍ଥା କଲେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ୭୭ତମ ସ୍ୱାଧୀନତା ଦିବସ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲକର ୩୭୭ ଗୋଟି ଶିକ୍ଷାନୁଷ୍ଠାନର ୨୬୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମିଷ୍ଟାନ୍ନ ବ୍ୟବସ୍ଥା କରିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି । ନର୍ଲା ବ୍ଲକ ଅଞ୍ଚଳର ୧୫୬ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର, ୧୨୮ ଗୋଟି ପ୍ରାଥମିକ, ୫୨ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୦ ଗୋଟି ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଓ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି । ନର୍ଲା ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ, ରୁପ୍ରା ମିଳିତ ପଞ୍ଚାୟତ ଜୁନିୟର କଲେଜ, ତୁଳାପଡା ଜୁନିୟର କଲେଜ ମଧ୍ୟ ରହିଛି ନର୍ଲାରେ । ଏଭଳି ଛୋଟ ବଡ ହୋଇ ନର୍ଲାରେ ମୋଟ ୩୭୪ ଗୋଟି ଶିକ୍ଷାନୁଷ୍ଠାନ ରହିଥିବାବେଳେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ମୋଟ ୨୬,୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ତରଫରୁ ଗତ ୨୦୧୭ ମସିହାରୁ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଚକୋଲେଟ, ବିସ୍କୁଟ, ସେଓ, ବୁନ୍ଦି ଓ ମିଠାର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳୁଛି । ପୂର୍ବଦିନ ସନ୍ଧ୍ୟାରେ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ସଂଖ୍ୟା ଅନୁଯାଇ ଦୁଇଗୋଟି ଗାଡ଼ିରେ ବିସ୍କୁଟ ଓ ଚକଲେଟ ସବୁ ପଠେଇ ଦିଆଯାଇଥାଏ । ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ପରେ ସେସବୁକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବାଣ୍ଟିଦେଇଥାନ୍ତି । ଛାତ୍ର ଜୀବନରେ ପତାକା ଉତ୍ତୋଳନ ଦିନ ବିସ୍କୁଟ ଓ ଚକୋଲେଟ ଖାଇବାର ମଜା ନିଆରା, କିଛି ଖାଇ କିଛି ଘରକୁ ନେଇଥାନ୍ତି ଛାତ୍ରଛାତ୍ରୀମାନେ। ସେଥିରେ ଅନେକ ଆନନ୍ଦ ମିଳିଥାଏ । ସେହି ସ୍ମୃତିକୁ ମନେ ପକାଇ ମୁଁ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ଖୁସି ପାଇଁ ଏସବୁର ବ୍ୟବସ୍ଥା କରିଥାଏ । ଏଣୁ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମଧ୍ୟ ଏସବୁର ବ୍ୟବସ୍ଥା କରାଯାଇଥିବା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଭାବ ବିହ୍ଵଳ ହୋଇ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.