ବଳଦ ମୃତ୍ୟୁର କ୍ଷତି ପୁରଣ ସହ ପୁରୁଣା ଖୁଣ୍ଟ ଓ ତାର ପରିବର୍ତ୍ତନ କରିବାକୁ ଦାବି କଲେ ଅଞ୍ଚଳବାସୀ
ଜୁନାଗଡ/କଳମପୁର,୧୬/୭ : ବିଦ୍ୟୁତ ବିଭାଗର ଅବହେଳା ଓ ଖାମ ଖିଆଳ ମନୋବୃତ୍ତି ଯୋଗୁ ୩ଟି ବଳଦଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି କଳମପୁର ବ୍ଲକ ହରାମାଲ ପଞ୍ଚାୟତ ଅନ୍ତର୍ଗତ ଝରାବାହାଲ ଗାଁରୁ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଝରାବାହାଲ କୁ ସଂଯୋଗ ହୋଇ ଥିବା ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ବିଲ ରେ ପଡି ରହିଥିଲା । ସେହି ବିଲରେ ଏହି ବଳଦ ମାନେ ଚରିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେହି ସ୍ଥାନରେ ହିଁ ଟଳି ପଡ଼ିଥିଲେ । ଏହି ଚାଷୀ ଗରିବ ପରିବାର ଏହି ବଳଦ ରଖି ଚାଷ କାର୍ଯ୍ୟ କରୁଥିଲେ । ମୃତ ଗୋଟିଏ ବଳଦ ବ୍ରାହ୍ମଣ କେନ୍ଦୁଗୁଡାର କମ୍ଭୁ ରଣା ଏବଂ ଅନ୍ୟ ୨ ଟି ବଳଦ ଝରା ବାହାଲ ର କୁନୁ ମାଝୀ ଙ୍କ ବୋଲି ଜଣା ପଡିଛି । ଖବର ପାଇ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶ୍ୟାମ ସୁନ୍ଦର ସ୍ୱାଇଁ ଘଟଣା ସ୍ଥଳରେ ଚାରି ଘଣ୍ଟା ବିଳମ୍ବରେ ପହଂଚିଥିଲେ । ଚାଷ ବାସ ଦିନରେ ବଳଦ ମାନଙ୍କ ମୃତ୍ୟୁ ଯୋଗୁଁ ଏହି ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ତେଣୁ ସେମାନେ ବିଭାଗୀୟ ଅଧିକାରୀଙ୍କୁ ବଳଦ ମୃତ୍ୟୁର ସହାୟତା ଦାବି କରିଥିଲେ । ଜେଇ ଶ୍ରୀ ସ୍ୱାଇଁ ମୁଁ ଉଚ୍ଚ ଅଧିକାରୀ ଙ୍କୁ ଜଣାଇ ଦେଇଛି, ଯାହା ସହଯୋଗ ମିଳିବ ଦିଆଯିବ ତା ବାହାରେ ଆମେ କିଛି କରି ପାରିବୁ ନାହିଁ ବୋଲି କହିଥିଲେ ।
ଏଠାରେ ପ୍ରଶ୍ନ ଉଠୁଛି ଯେ ବିଦ୍ୟୁତ ବିଭାଗ ଦୂର୍ବଳ ଖୁଣ୍ଟ ଓ ତାର ଗୁଡିକ ଉପରେ କାହିଁକି ଧ୍ୟାନ ଦେଉନାହିଁ । ବଳଦ ଜାଗାରେ ମଣିଷ ହୋଇଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା । ଅଞ୍ଚଳର ସାଧାରଣ ଜନତାର ଦାବି ହେଉଛି ତୁରନ୍ତ ଏହି ଦୁଇ ପରିବାରକୁ ବଳଦ ମୃତ୍ୟୁର କ୍ଷତି ପୂରଣ ଦିଆଯିବା ସହ ଦୁର୍ବଳ ଖୁଣ୍ଟ ଓ ତାର ଗୁଡିକ ପରିବର୍ତନ କରାଯାଉ ।