ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଚଳିତ ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ବାବଦରେ ବ୍ୟୟ ବରାଦକୁ ଗୁରୁତ୍ଵ ଦିଆଯାଇନାହିଁ। ଅଙ୍ଗନବାଡି କର୍ମୀ ଓ ଅଶା କର୍ମୀଙ୍କୁ ନିରାଶ କରିଛି। ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ଯେଉଁଠି ତଳ ସ୍ତରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଆସୁଛନ୍ତି ସେହି ଅଙ୍ଗନବାଡି ଓ ଅଶା କର୍ମୀଙ୍କୁ ଅଣ ଦେଖା କରିବା ଅତ୍ୟନ୍ତ ଦୁଖଦାୟକ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଓ ପଶ୍ଚିମ ଓଡ଼ିଶା ଅଶା କର୍ମୀ ସଂଘ ପକ୍ଷରୁ କୁହାଯାଇଛି ମହିଳା ଓ ଶିଶୁ ବିକାଶ ବିଭାଗ ସକାଶେ ୩୬୭୦ କୋଟି ବ୍ୟୟ ବରାଦ ହୋଇଛି। ଯେଉଁ ୧୨ % ଅଧିକ କରାଯାଇଥିବା କଥା କୁହାଯାଉଛି ସେଥିରେ ମମତା ଯୋଜନା, ପୁଷ୍ଟି ଯୋଜନା ରେ ଅଧିକ ଅର୍ଥ ରଖାଯାଇଛି। ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ସୂଚାରୁ ରୂପେ ସମ୍ପାଦନା କରିଆସୁଥିବା ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ଅତ୍ୟନ୍ତ ନଗଣ୍ଯ। ବଜାର୍ ଦର ହୁ ହୁ ହୋଇ ବଢି ଚାଲିଛି ସ୍ଵଳ୍ପ ଭତ୍ତାରେ ପରିବାର ଚଳିବା କଷ୍ଟ ହୋଇପଡୁଛି । ଭତ୍ତା ବୃଦ୍ଧି ନିହାତି ଜରୁରୀ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସଭାନେତ୍ରୀ ମୀରା ବତୀ ଦଳ ବେହେରା, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ସମ୍ପାଦକ ପ୍ରମିଳା ସିଂହ, ବରଗଡ଼ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି, ସମ୍ପାଦକ ନିତାମ୍ବିନୀ ଦାଶ, ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ମମତା ଶତପଥି, ସମ୍ପାଦକ ଗୌରୀ ଷଡଙ୍ଗୀ, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ରୁବୀ ଷଡଙ୍ଗୀ, ସମ୍ପାଦକ ମହିମା ସାହୁ, ଉପଦେଷ୍ଟା ନଳିନୀ ନାୟକ, ସୋନପୁର ଜିଲ୍ଲା ସଭାନେତ୍ରୀ ଲିଲି ମିଶ୍ର, ସମ୍ପାଦକ ଶାନ୍ତିଲତା ଜଗଦଲା, ବୌଦ୍ଧ ଜିଲ୍ଲା ସଭାନେତ୍ରୀ କ୍ଷିତିସୁତା ମିଶ୍ର, ସମ୍ପାଦକ ସୁରଭି ସାହୁ, ଦେବଗଡ଼ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ବେହେରା, ସମ୍ପାଦକ ଦିପାଞ୍ଜଲୀ ପ୍ରଧାନ, କଳାହାଣ୍ଡି ଜିଲ୍ଲା ରେବତୀ କୁମ୍ଭାର, ନୂଆପଡ଼ା ସୁଷମା ଭୋଇ ପ୍ରମୁଖ ଦାବି କରିଛନ୍ତି। ଗରମ ରନ୍ଧା ଖାଦ୍ୟର ଧାର୍ଯ୍ୟ ଦର ସଂଶୋଧନ ହୋଇ ବୃଦ୍ଧି କରିବା, ଅଣ୍ଡା କମ୍ ଟଙ୍କାରେ ଯୋଗାଇବା ସମ୍ଭବ ନୁହେଁ। ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଦରମା, ୧୦ ହଜାର ପେନସନ୍, ଅବସର ବୟସ ୬୫, ମୃତ୍ୟୁ କାଳୀନ ସହାୟତା ରାଶି ବୃଦ୍ଧି, ମିନିଙ୍କୁ ଅଙ୍ଗନବାଡି କର୍ମୀ ପ୍ରଭୁତି ମୁଖ୍ୟ ପ୍ରସଙ୍ଗକୁ ରାଜ୍ଯ ଏବଂ କେନ୍ଦ୍ର ସରକାର ଏଡ଼ାଇ ଦେଉଥିବାରୁ ଉପରୋକ୍ତ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି। ଦଳ ମତ ବିଚାର ଉର୍ଦ୍ଧ୍ଵରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଭଉଣୀ ମାନେ ଏକତ୍ରିତ ହୋଇ ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ର ୧୩ ରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଦିବା ରାତ୍ରି ଆନ୍ଦୋଳନ ଧାରଣା ଦିଆଯିବ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ନେତୃତ୍ବରେ ୫ ଗୋଟି ସଂଘ ମିଳିତ ଲଢେଇରେ ସାମିଲ୍ ହେବେ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।