ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ନିକଟସ୍ଥ ଶଙ୍କରୀଗୁଡ଼ା ସ୍ଥିତ ଜିଲ୍ଲା ଯାଦବ ଭବନଠାରେ ଶନିବାର କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ତୃତୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍.ଏ.ସି. ଓ ସହରାଞ୍ଚଳରୁ ସାଙ୍ଗଠନିକ କର୍ମକର୍ତ୍ତା ଯୋଗଦେଇ ସଂଗଠନର ସୁଦୃଢ଼ୀକରଣ, ଶୃଙ୍ଖଳା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକ ପ୍ରାରମ୍ଭରେ ଶ୍ରୀକୃଷ୍ଣ ଓ ରାଧାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଥୁଆମୂଳ ରାମପୁର ବ୍ଲକର ସ୍ୱର୍ଗତ ଶଙ୍କର ହଂସ, ଗୋଲାମୁଣ୍ଡା ବ୍ଲକ ଡୁଡ଼କେଲ ଅଞ୍ଚଳର ସ୍ୱର୍ଗତ ହରିଶଙ୍କର ବଗର୍ତ୍ତୀ, ଗଣ୍ଡାମେର ଅଞ୍ଚଳର ସ୍ୱର୍ଗତ ଲାଲୁ ଖରସେଲଙ୍କ ସମେତ ଅନ୍ୟ ଦିବଂଗତ ସମାଜବନ୍ଧୁଙ୍କ ଉଦ୍ଦେଶ୍ୟରେ ଶୋକସଭା ଓ ନୀରବ ପ୍ରାର୍ଥନା କରାଯାଇଥିଲା। ଥୁଆମୂଳ ରାମପୁର ଭଳି ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ଯାଦବ ମହିଳା ସଂଗଠନକୁ ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଥିବା ମଞ୍ଜୁରୀ ଗହୀର, ମଧୁସ୍ମିତା ନାଗ, ଅମ୍ବିକା କଣ୍ଟା ଓ ଲକ୍ଷ୍ମୀ ବାଗଙ୍କୁ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସ୍ଥିତି ଓ ବିଭିନ୍ନ ବ୍ଲକ ତଥା ସହରାଞ୍ଚଳରେ ମହାସଭାର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମହାସଭାର ସଂଶୋଧିତ ସମ୍ବିଧାନ ବିତରଣ, ବୈବାହିକ କାର୍ଯ୍ୟ ପାଇଁ ବ୍ୟବହୁତ ପରିଚୟପତ୍ର ପ୍ରସ୍ତୁତି ଓ ବିତରଣ ଏବଂ ଏହାର ସୁଚାରୁ ପରିଚାଳନା ସମ୍ପର୍କରେ ମତବିନିମୟ ହୋଇଥିଲା। ଏଥିସହ ଶଙ୍କରୀଗୁଡ଼ାସ୍ଥିତ ଜିଲ୍ଲା ଯାଦବ ଭବନକୁ ଯାତାୟାତ ପାଇଁ ରାସ୍ତା ନିର୍ମାଣ ଓ ଭବନକୁ ବିଦ୍ୟୁତ୍ ସଂଯୋଗୀକରଣ କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ, ସାଙ୍ଗଠନିକ ବିଶୃଙ୍ଖଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ କୋକସରା ବ୍ଲକ ଯାଦବ ସମିତିର ସଭାପତିଙ୍କୁ ସଭାପତି ପଦରୁ ବହିଷ୍କାର କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରାଜ୍ୟ ଯାଦବ ମହାସଭା ମହିଳା ସେଲ୍ ସଭାନେତ୍ରୀ ସଂଯୁକ୍ତା ବେହେରା ଯୋଗଦେଇଥିଲେ। ଜିଲ୍ଲା ସଭାପତି ନୃପରାଜ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଯୁବ ସଭାପତି ପୀତାବାସ ବେହେରା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜୀ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା। ବୈଠକରେ ଜିଲ୍ଲା ଉପସଭାପତି ଅଲେଖ ଗୋପାଳ, କମଳ ବାଗ, ଯୁଧିଷ୍ଠିର ଗୌଡ଼, ଜିଲ୍ଲା ସମ୍ପାଦକ ତ୍ରିପୁରା ନାୟକ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଡମ୍ବରୁଧର ଖରସେଲ, ବିଶ୍ୱରଞ୍ଜନ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଈଶ୍ୱର ବାଗର୍ତ୍ତୀ, ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡ଼ାମାଝୀ, ପରାମର୍ଶଦାତା ନଳିନୀ ରଞ୍ଜନ ରାଉତ ଓ ଦୁଲ୍ଲଭ ମାହାର, ବରିଷ୍ଠ ସମାଜସେବୀ ଗୌରହରି ବାଗ, ଜିଲ୍ଲା ଯୁବ ଉପସଭାପତି ଅଭିମନ୍ୟୁ ବାଗ, ଯୁବ ସମ୍ପାଦକ ଦୁର୍ଗାମାଧବ ବାଗ, ଜିଲ୍ଲା ମହିଳା ସେଲ୍ ସଭାନେତ୍ରୀ ରଶ୍ମିରେଖା ରାଉତ, ସମ୍ପାଦିକା ରେବତୀ ବିଶି, କର୍ମଚାରୀ ସଂଘ ସଭାପତି ମାଧବ ଲାହାଜଲ, ଭବାନୀପାଟଣା ସହର ସମିତି ସଭାପତି ରବୀନ୍ଦ୍ରଲାଲ ଯାଦବ, କୋକସରା ବ୍ଲକ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା ଓ ଧବଳେଶ୍ୱର ଗହୀର, କଳମପୁର ବ୍ଲକ ସଭାପତି କୃଷ୍ଣ ଲାହାଜଲ, ଜୁନାଗଡ଼ ବ୍ଲକ ସଭାପତି ଉଗ୍ରସେନ ବାଗ, ଗୋଲାମୁଣ୍ଡା ବ୍ଲକ ସଭାପତି ରେବା କଟା, ସଦାଶିବ ବେମାଳ, କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଳ ଓ ସାଧାରଣ ସମ୍ପାଦକ ମହୀପାଳ ନାଏକ, ଭବାନୀପାଟଣା ବ୍ଲକ ସଭାପତି ଦେବରାଜ ଗହୀର, ସାଧାରଣ ସମ୍ପାଦକ ରଥୁରାମ ବାଗ ଓ ଉପେନ୍ଦ୍ର ଚଲାନ, ନର୍ଲା ବ୍ଲକ ସଭାପତି ଲିଙ୍ଗରାଜ କରୁଆଁ, ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ଥୁଆମୂଳ ରାମପୁର ବ୍ଲକ ସମ୍ପାଦକ ଶିବରାତ୍ର ଗୌଡ଼ ଓ ସାମନ୍ତ ଗୌଡ଼ ଏବଂ କେସିଙ୍ଗା ଏନ୍.ଏ.ସି. ଯାଦବ ମହାସଭା ସଭାପତି ବସନ୍ତ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ଜିଲ୍ଲାରେ ଯାଦବ ସମାଜର ଏକତା, ସାଙ୍ଗଠନିକ ଶୃଙ୍ଖଳା ଓ ସାମାଜିକ ବିକାଶକୁ ଆଗକୁ ନେବା ପାଇଁ ମହାସଭା ଦୃଢ଼ ସଂକଳ୍ପବଦ୍ଧ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।





