ମାଟି ତଳୁ ଆବିର୍ଭାବ ହେଲେ ଶିବଲିଙ୍ଗ, ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଦ ଗାଁରେ ଜୈନିକା ଆଦିବାସୀ ସମ୍ପ୍ରଦାୟର ବିଧବା ମହିଳା ପୁରାନ ଭୁଏଙ୍କ ଘରେ ଭୂମି ମଧ୍ୟରୁ ଫୁଟି ବାହାରି ଶିବଲିଙ୍ଗ ଆବିର୍ଭାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରାନଙ୍କ ଘରକୁ ଆସି ଶିବଲିଙ୍ଗ ଦର୍ଶନ ସହ ପୂଜାର୍ଚ୍ଚନା କରୁଥିବା ଭିଡ଼ ଦେଖିବାକୁ ମିଳୁଛି | ଗତ ମାର୍ଚ୍ଚ ମାସ ସମୟରେ ପୁରାନ ଶୋଇବା ଘରକୁ ଗୋବର ଦ୍ୱାରା ଲିପୁଥିବା ବେଳେ କାନ୍ଥକୁ ଲାଗି ଏକ ଛୋଟିଆ ଆକୃତିର କଳା ରଙ୍ଗର ପଥରକୁ ପ୍ରଥମ କରି ଦେଖିଥିଲେ | ଶିବଲିଙ୍ଗ ଆବିର୍ଭାବ ଘଟଣାକୁ ଲୋକେ ହୁଏତ ବିଶ୍ୱାସ କରିବେ ନାହିଁ ଭାବି ଏକଥା ପୁରାନ କାହାକୁ ଜଣାଇ ନ ଥିଲେ | ତେବେ ପଥରଟିର ଆକାର କ୍ରମଶଃ ବୃଦ୍ଧି ପାଉଥିବା ଦେଖି ଉକ୍ତ ପଥରଟି ସାଧାରଣ ପଥର ନୁହେଁ ବରଂ ଏକ ଶିବଲିଙ୍ଗ ବୋଲି ସେ ନିଶ୍ଚିତ ହୋଇଥିଲେ | ଏହାପରେ ସେ ସାହସ ଜୁଟାଇ କିଛି ଲୋକଙ୍କୁ ଉକ୍ତ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ | ଘଟଣା ସମ୍ବନ୍ଧରେ ଲୋକେ ଅବଗତ ହେବା ପରେ ଶିବଲିଙ୍ଗ ଦର୍ଶନ ଓ ପୂଜା ପାଇଁ କ୍ରମଶଃ ଲୋକଙ୍କ ବିଶେଷ ଭିଡ଼ ବୃଦ୍ଧି ପାଇଥିଲା | ପୁରାନ ଭୂମିହୀନ ହୋଇଥିବା ବେଳେ ତାଙ୍କର ୩ ପୁଅ ଓ ବୋହୁମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାୟ ଏକ ମାସ ହେବ ଫେରିଛନ୍ତି | ପୁରାନ ତାଙ୍କ ୨ ନାତିଙ୍କୁ ଧରି ଘରେ ରହୁଥିଲେ | ସରକାର ଯୋଗାଇ ଦେଇଥିବା ୪ ଡେସିମିଲ ଡିହରେ ତିଆରି କରିଥିବା ଇନ୍ଦିରା ଆବାସ ଘରେ ଶିବଲିଙ୍ଗ ଆବିର୍ଭାବ ହୋଇଥିବା ପୁରାନ କହିଛନ୍ତି | ପୁରାନଙ୍କ ଭକ୍ତିଭାବରେ ଈଶ୍ୱର ପ୍ରସନ୍ନ ହେବରୁ ଏଭଳି ଅଲୌକିକ ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଶ୍ରାବଣ ମାସ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ବୋଲି ଗ୍ରାମର ନରସିଂହ ଧରୁଆ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.