ସୁସ୍ଥ ପୋଷଣ, ସୁସ୍ଥ ଶରୀର

ଶିଶୁଟିଏ କେବଳ ପରିବାରର ନୁହେଁ, ବରଂ ଦେଶ ଓ ଜାତିର ଭବିଷ୍ୟତ। ବିଦ୍ୟାଳୟର ଚାରିକାନ୍ଥ ଭିତରେ ଜଣେ ଛାତ୍ରର ଶୈକ୍ଷିକ ପ୍ରଗତି ଯେତିକି ଜରୁରୀ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ତାର ସାମଗ୍ରିକ ବିକାଶ। ଏହି ବିକାଶର ରଥ ଦୁଇଟି ଚକ ଉପରେ ଗତିଶୀଳ – ଗୋଟିଏ ହେଉଛି ‘ଶାରୀରିକ ସୁସ୍ଥତା’ ଏବଂ ଅନ୍ୟଟି ‘ମାନସିକ ସତେଜତା’। ଆଉ ଏହି ଦୁଇଟି ଯାକ ସମ୍ଭବ ହୁଏ କେବଳ ସନ୍ତୁଳିତ ପୋଷଣ ଦ୍ୱାରା। ଶୈଶବ ହେଉଛି ଶରୀର ଗଠନର ପ୍ରକୃତ ସମୟ। ଆମ ପଶ୍ଚିମ ଓଡ଼ିଶାର ଘରେ ଘରେ ମିଳୁଥିବା ସଜନା ଶାଗ, ମାଣ୍ଡିଆ (କୁରେଇ), ମୁଗ, ହରଡ଼ ଓ ଋତୁକାଳୀନ ଫଳ କେବଳ ଖାଦ୍ୟ ନୁହେଁ, ଏହା ପ୍ରକୃତିର ଅମୂଲ୍ୟ ଔଷଧ।

ଶିଶୁର ଶରୀର ପାଇଁ ଆବଶ୍ୟକ ଲୌହସାର, ଜୀବସାର ଓ ପ୍ରୋଟିନ୍ ଯେତେବେଳେ ଠିକ୍ ପରିମାଣରେ ମିଳେ, ସେତେବେଳେ ସେ ପାଠପଢ଼ା ସହ ଖେଳପଡ଼ିଆରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରେ। କିନ୍ତୁ ଆଜିର ‘ଜଙ୍କ ଫୁଡ୍’ ସଂସ୍କୃତି ଶିଶୁର କୋମଳ ଶରୀରକୁ ଭିତରୁ ଦୁର୍ବଳ କରିଦେଉଛି। ତେଣୁ ସ୍ଥାନୀୟ ଓ ପାରମ୍ପରିକ ଖାଦ୍ୟକୁ ପିଲାଙ୍କ ଥାଳିରେ ସ୍ଥାନ ଦେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ​ମାନସିକ ବିକାଶ ପାଇଁ ମଧ୍ୟ ପୋଷଣର ଭୂମିକା ଅନନ୍ୟ। ଏକ ସୁସ୍ଥ ମସ୍ତିଷ୍କ ପାଇଁ ଶିଶୁକୁ ଏପରି ଖାଦ୍ୟ ଦେବା ଆବଶ୍ୟକ, ଯାହା ତାର ସ୍ମରଣ ଶକ୍ତି ଓ ଏକାଗ୍ରତା ବୃଦ୍ଧି କରିବ। ଆମ ପରିବେଶରେ ମିଳୁଥିବା ସଜ ସାଗ, ପନିପରିବା ଓ ପୁଷ୍ଟିକର ଜାଉ ଶିଶୁର ମାନସିକ ଚାପ ଦୂର କରିବାରେ ସହାୟକ ହୋଇଥାଏ। ଯେତେବେଳେ ପିଲାଟିଏ ପୁଷ୍ଟିକର ଖାଦ୍ୟ ଖାଏ, ସେତେବେଳେ ତାର ମନ ପ୍ରଫୁଲ୍ଲ ରହେ ଏବଂ ଶିକ୍ଷା ଗ୍ରହଣ କରିବାର କ୍ଷମତା ଶତଗୁଣିତ ହୋଇଯାଏ। ଶେଷରେ, ଆମେ ମନେ ରଖିବା ଉଚିତ ଯେ ପୁସ୍ତକର ଜ୍ଞାନ ଶିଶୁକୁ ବିଦ୍ୱାନ କରିପାରେ, କିନ୍ତୁ ପୁଷ୍ଟିକର ପୋଷଣ ହିଁ ତାକୁ ଏକ ସୁସ୍ଥ ଓ ସମର୍ଥ ମଣିଷ ଭାବେ ଗଢ଼ିତୋଳେ। ଆସନ୍ତୁ, ଆମ ପରିବେଶରେ ଉପଲବ୍ଧ ପ୍ରାକୃତିକ ଖାଦ୍ୟ ମାଧ୍ୟମରେ ଆମ ପିଲାମାନଙ୍କ ଭିତରେ ଜଣେ ଜଣେ ଶକ୍ତିଶାଳୀ ନାଗରିକର ବୀଜ ବପନ କରିବା। ଶିଶୁର ଶରୀର ପୁଷ୍ଟ ହେଲେ ହିଁ ସୁସ୍ଥ ଓଡ଼ିଶା ଗଠନର ସ୍ୱପ୍ନ ସାକାର ହେବ

ଡ଼. ଅନିଲ ପ୍ରସାଦ ସାହୁ

ସହକାରୀ ଶିକ୍ଷକ

ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନର୍ଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.