ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଫଳାଫଳ ପାଇଁ ଆବଶ୍ୟକ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ବିଶ୍ଵନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ୍ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଆଗାମୀ ବାର୍ଷିକ ମାଧ୍ୟମିକ ସ୍କୁଲ ପ୍ରମାଣପତ୍ର–୨୦୨୭ ପରୀକ୍ଷା ପାଇଁ ପ୍ରସ୍ତୁତି, ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଯୋଜନା ଓ ଶିକ୍ଷାର ଗୁଣାତ୍ମକ ଉନ୍ନତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ପରୀକ୍ଷାରେ ଏ୧ ଓ ଏ୨ ଗ୍ରେଡ୍ ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ନିୟମିତ ଓ ଉପଯୁକ୍ତ ମାର୍ଗଦର୍ଶନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ବିଦ୍ୟାଳୟରେ ୧୦୦ ପ୍ରତିଶତ ପାସ୍ ଫଳାଫଳ ହାସଲ କରିବା ସହ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ସମ୍ମିଳନୀରେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଷୟ ନେତୃତ୍ୱକାରୀମାନେ ଯୋଗଦେଇଥିଲେ।





