କମେଇବୁଢା ଫାର୍ମର ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କମେଇବୁଢା ଫାର୍ମର ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା ନର୍ଲା ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କମ୍ପାନୀର ଅଧ୍ୟକ୍ଷା ହେମଲତା ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମାଣ୍ଡେଲର ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାଏକ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏଥିରେ ରିସୋର୍ସ ପର୍ସନ ତଥା ମୁଖ୍ୟ ବକ୍ତା ଭାବରେ ନର୍ଲା ଅଞ୍ଚଳର କୃଷି ଉଦ୍ୟୋଗୀ ଜୟନ୍ତୀ ପଧାନ ଯୋଗଦାନ କରି ଉପସ୍ଥିତ ମହିଳା କୃଷକ ମାନଙ୍କୁ ଚାଷ କରିବାର ପ୍ରଣାଳୀ, ଲାଭଦାୟକ ଚାଷ, ସାର ଓ କୀଟନାଶକ ପ୍ରୟୋଗ ପ୍ରଭୃତି ଚାଷକାର୍ଯ୍ୟ ଉପେଯାଗୀ ବିଭିନ୍ନ ବିଷୟ ଓ ଦିଗ ଉପରେ ମାର୍ଗଦର୍ଶନ ଦେଇଥିଲେ। ଟାଟା ଷ୍ଟିଲ ପ୍ରତିନିଧି ବିନୋଦ ବିହାରୀ ଦାସ ଓ ପୁରୁଷୋତ୍ତମ ଦେଶମୁଖ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବାର୍ଷିକ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରିଥିଲେ। ଆଗାମୀ କାର୍ଯ୍ୟକ୍ରମ ଗୁଡିକ ଉପରେ ଖସଡା ପ୍ରସ୍ତୁତ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅଞ୍ଚଳର ମହିଳା ଚାଷୀମାନଙ୍କୁ ଏହି କମ୍ପାନୀରେ ସଂଯୁକ୍ତ କରାଯାଇ ସେମାନଙ୍କୁ ଉନ୍ନତ ଧରଣର ଚାଷକାର୍ଯ୍ୟ ଉପରେ ପ୍ରୋତ୍ସାହିତ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ ରହିଛି ୫୨ ଗୋଟି ଫାର୍ମର ପ୍ରଡ୍ୟୁସର କମ୍ପାନୀ। ସେଥିମଧ୍ୟରୁ ତିନିଗୋଟି ହେଉଛି ମହିଳା ମାନଙ୍କୁ ନେଇ ଗଠିତ ଫାର୍ମର ପ୍ରଡ୍ୟୁସର କମ୍ପାନୀ। ଭବାନୀପାଟଣାରେ ଦୁଇଗୋଟି ମହିଳା ଫାର୍ମର କମ୍ପାନୀ ରହିଥିବା ବେଳେ ନର୍ଲାରେ ରହିଛି କମେଇବୁଢା ଫାର୍ମର ପ୍ରଡ୍ୟୁସର କମ୍ପାନୀ। ଏହା ଜାନୁୟାରୀ ମାସରେ ରେଜିଷ୍ଟ୍ରେସନ ହୋଇଥିବା ଜଣାପଡିଛି। ଏଥିରେ ନର୍ଲା ବ୍ଲକ ଅଞ୍ଚଳର ପ୍ରାୟ ସମସ୍ତ ଗାଁ ରୁ ମହିଲା ଚାଷୀମାନେ ଯୋଡି ହୋଇ ସଦସ୍ୟ ରହିଛନ୍ତି। ଟାଟା ଷ୍ଟିଲ ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ସହଯୋଗରେ ଚାଲୁଥିବା ଏହି କମ୍ପାନୀ ଜରିଆରେ ଏଥିରେ ତାଲିକା ଭୁକ୍ତ ମହିଳା ଚାଷୀମାନେ ମାତ୍ର ଅଳ୍ପ ଟଙ୍କା ବିନିମୟରେ ସାର, ବିହନ, କୀଟନାଶକ ଔଷଧ ସାଙ୍ଗକୁ ଉତ୍ପାଦିତ କୃଷି ସାମଗ୍ରୀ ବିକ୍ରୟ ପାଇଁ ଉପଯୁକ୍ତ ବଜାରର ବ୍ୟବସ୍ଥା ହୋଇପାରୁଛି । କମେଇବୁଢା ଫାର୍ମର ପ୍ରଡ୍ୟୁସର କମ୍ପାନୀର ଏହା ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ନର୍ଲା ଅଞ୍ଚଳରେ ମହିଳା ଚାଷୀଙ୍କୁ ନେଇ ଏହା ପ୍ରଥମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଅସୁରଗଡ ୱାଟରସେଡର ସମ୍ପାଦକ ତଥା ମାର୍କଫେଡର ସଭାପତି ଦେବରାଜ ମାଝୀ, ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଯୁବ ଜୈବିକ ଚାଷୀ ଗଜପତି ମାଝୀ, ମହିଳା ଚାଷୀ ପଦ୍ମିନୀ ବିଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ୱାଟରସେଡର ଚାଷୀ, ଅଞ୍ଚଳର ବରିଷ୍ଠ ଚାଷୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ବାର୍ଷିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ମହିଳା ଚାଷୀ ଅଂଶ ଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁବ ଜୈବିକ ଚାଷୀ ଗଜପତି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.