ପୁଣି ରକ୍ତରେ ଭିଜିଲା ସିକେରକୁପା ପୋଲ

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା – ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ମରଣଯନ୍ତା ପାଲଟିଛି। ଛତିକୁଡ଼ାରୁ ପୋଖରୀବନ୍ଦ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରତିଦିନ ଦୁର୍ଘଟଣା ହେଉଛି। ଏହାର ସବୁଠୁ ବଡ଼ ଉଦାହରଣ ସିକେରକୁପା ମହାଜାଲ ପୋଲ। ଏଠାରେ ପୁଣି ରକ୍ତାକ୍ତ ଦୁର୍ଘଟଣା ଘଟିଛି। ବାଇକ୍ ଦୁର୍ଘଟଣାରେ ଭବାନୀପାଟଣାରୁ ଉମରକୋଟ ଯାଉଥିବା ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ବାଇକ୍ ଯୋଗେ ଭବାନୀପାଟଣାରୁ ଉମରକୋଟ ଯାଉଥିବା ବେଳେ ସିକେରକୁପା ପୋଲ ଉପରେ ଥିବା ବଡ଼ ବଡ଼ ପାଣି ଭର୍ତ୍ତି ଖାଲ, କାଦୁଅ ଓ ଭାଙ୍ଗିଯାଇଥିବା ରାସ୍ତା ଯୋଗୁଁ ନିୟନ୍ତ୍ରଣ ହରାଇ ପଡ଼ିଯାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ପହଞ୍ଚିଥିଲେ। ତାଙ୍କ ସହାୟତା ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଗୁରୁତର ଯୁବକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୬ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ ପୋଖରୀବନ୍ଦ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ। ପ୍ରତି ମିଟରରେ ବଡ଼ ବଡ଼ ଗାତ, ଅଣଓସାରିଆ ପୋଲ ଓ ରାସ୍ତା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଢେପଗୁଡ଼ା, ସିକେରକୁପା ପରି ସ୍ଥାନ ଏବେ ମୃତ୍ୟୁଯନ୍ତା ପାଲଟିଛି। ସିକେରକୁପାର ଏହି ପୋଲ ବର୍ଷ ବର୍ଷ ସମୟ ଧରି ବେହାଲ ଅବସ୍ଥାରେ ପଡ଼ିରହିଛି। ବର୍ଷା ଦିନେ ରାସ୍ତାର ବଡ଼ ବଡ଼ ଗାତରେ ପାଣି ଜମିରହିଛି। ତଥାପି ପୂର୍ତ୍ତ ବିଭାଗ ଶୋଇରହିଛି। ଏହା ପୂର୍ବରୁ ମଧ୍ୟ ଏହି ପୋଲରେ ଅନେକ ଦୁର୍ଘଟଣା ଘଟି ଲୋକେ ଜୀବନ ହରାଇସାରିଲେଣି।

ଏନେଇ ଅଞ୍ଚଳବାସୀ ତଥା ଆରୋହୀ ମାନେ ପୂର୍ତ୍ତ ବିଭାଗକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି। ଟ୍ୟାକ୍ସ ଟଙ୍କା ନେଇ ରାସ୍ତା ଠିକ୍ କରୁନାହାନ୍ତି। ପ୍ରତିଦିନ ଦୁର୍ଘଟଣା ହେଉଛି, ତଥାପି ବିଭାଗ ଚୁପ୍ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀମାନେ ତୁରନ୍ତ ଏହି ନମ୍ବର ରାଜପଥର ସମ୍ପୂର୍ଣ୍ଣ ମରାମତି, ସିକେରକୁପାରେ ନୂତନ ପୋଲ ନିର୍ମାଣ ଓ ସ୍ଥାନେ ସ୍ଥାନେ ସୁଚନା ଫଳକ ବ୍ୟବସ୍ଥା କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ପୂର୍ତ୍ତବିଭାଗ ବିରୋଧରେ ଏକ ବଡ଼ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.