କିଡିଙ୍ଗ ଛକରେ ବଲକରକୁ ଧକ୍କା ଦେଇ ଓଲଟିଲା କୋଇଲା ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ଛକ ନିକଟରେ ମଙ୍ଗଳବାର ଏକ କୋଇଲା ବୋଝେଇ ଟ୍ରକ୍ ଧାନ ଚାଷ ଜମି ତଳକୁ ଓଲଟି ପଡ଼ିଛି।
ସୂଚନାଯୋଗ୍ୟ, ସିଜି-୦୭-ସିଏମ୍-୩୬୧୨ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ କୋଇଲା ବୋଝେଇ କରି ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲା। ଏହି ସମୟରେ କିଡିଙ୍ଗ ଛକ ନିକଟରେ ଆଗରୁ ଛିଡ଼ା ହୋଇଥିବା ଜିଜେ-୧୮-ବିଭି-୧୭୬୫ ବିଶିଷ୍ଟ ଏକ ବଲକରକୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ଧାନ ଚାଷ ଜମି ତଳକୁ ଓଲଟି ପଡ଼ିଥିଲା।
ଟ୍ରକଟି ଓଲଟିବା ପରେ ଡ୍ରାଇଭର ଟ୍ରକ ଭିତରେ ରହିଥିଲେ। ସ୍ଥାନୀୟ ଯୁବକ ମାନେ ତୁରନ୍ତ ପହଞ୍ଚି ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ସିକେରକୁପା ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଓ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଚାଷ ଜମିରେ ଧାନ ତଳି ରହିଥିବା ବେଳେ କୋଇଲା ସବୁ ଜମିରେ ପଡ଼ି ଚାଷ ନଷ୍ଟ ହେବା ଆଶଙ୍କା ରହିଥିବା ବେଳେ ଜମି ମାଲିକ ଏବେ ଚିନ୍ତାରେ ପଡ଼ିଛନ୍ତି। ଚାଳକମାନେ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଚଳ କରୁଥିବା ବେଳେ ଏସବୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏବେ ଏହି ରାଜ୍ୟ ରାଜପଥରେ ମଦ୍ୟପ ଅବସ୍ଥାରେ ଗାଡ଼ି ଚଲାଉଥିବା ଚାଳକଙ୍କ ସଂଖ୍ୟା ବି ବଢୁଛି। ଏହାକୁ ରୋକିବା ପାଇଁ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଓ ତାଙ୍କ କର୍ମଚାରୀମାନେ ରାତିରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଫାଣ୍ଡିରେ ମଦ୍ୟପ ଚେକିଙ୍ଗ୍ ପାଇଁ ବ୍ରେଥ୍ ଆନାଲାଇଜର ମେସିନ୍ ନଥିବା ଯୋଗୁଁ କୈାଣସି କାର୍ଯ୍ୟନୁଷ୍ଠାନ ନେଇ ପାରୁନାହାନ୍ତି। ଫଳରେ ମଦ୍ୟପ ଚାଳକ ମାନେ ନିର୍ଭୟରେ ଗାଡ଼ି ଚଳାଉଛନ୍ତି। ତେବେ ସିକେରକୁପା ଫାଣ୍ଡିରେ ତୁରନୁ ବ୍ରେଥ୍ ଆନାଲାଇଜର ମେସିନ୍ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.