ଓଡ଼ିଆ ବାର୍ତ୍ତା/ ନିଶ୍ଚିତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ):
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଚାଲିଥିବା “୧୦ କୋଟି ନଶାମୁକ୍ତ ସଂକଳ୍ପ ମହାଅଭିଯାନ” ଅଧୀନରେ ସ୍ଥାନୀୟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀବ୍ରହ୍ମପୁର ସ୍ଥିତ ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ ଠାରେ ଗତ ୧୭ ତାରିଖ ସନ୍ଧ୍ୟାରେ ଏକ ବିଶେଷ ନଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଧରଣୀଧର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ଗହନ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମାକୁମାରୀ ଅନିତା ଭଉଣୀ ଯୋଗଦେଇ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟର କୁପରିଣାମ ବିଷୟରେ ସଚେତନ କରାଇଥିଲେ। ନିଶାସକ୍ତରୁ ସମ୍ପୂର୍ଣ୍ଣ ଦୂରରେ ରହି ନିଜର ପାଠପଢ଼ାରେ ମନୋନିବେଶ କରିବା, ପରିବାର ଓ ସାଙ୍ଗସାଥୀମାନଙ୍କୁ ନିଶା କବଳରୁ ମୁକ୍ତ ରଖିବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେବା ସହ ଏକ ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ବିଦ୍ୟାଧର ଭାଇ, ମମତା ଭଉଣୀ, ଅନୁଷ୍ଠାନ ର ଶିକ୍ଷକ ଜଗନ୍ନାଥ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠୀ,ରାଜେଶ ମହାରଣା, ଜଗଦୀଶ ରାଉତ,କେଶବ ବେହେରା, ସ୍ଵାତି ସ୍ଵାଗତିକା ସ୍ୱାଇଁ, ମଧୁସ୍ମିତା ପଣ୍ଡା, ଆଶ୍ୱାସିନୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଧର ଭାଇ ସମସ୍ତ ଅଭ୍ୟାଗତ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନିଶାମୁକ୍ତ ସଚେତନତା ଶିବିରରେ ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ଶପଥ ଗ୍ରହଣ କରିଥିଲେ।





