ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ସୁନାବେଡ଼ା ସିଡିପିଓଙ୍କ ବିରୋଧରେ ଅଙ୍ଗନବାଡ଼ି କର୍ମୀମାନେ ଆଣିଥିବା ବିଭିନ୍ନ ଅଭିଯୋଗକୁ ନେଇ ମାମଲା ଏବେ ଗୁରୁତ୍ୱ ନେଇଛି। ଅଭିଯୋଗକୁ ନେଇ ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲାପାଳଙ୍କୁ ଭେଟି ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଜିଲ୍ଲାପାଳଙ୍କୁ ଭେଟିବା ପରେ ଅଙ୍ଗନବାଡ଼ି କର୍ମୀମାନେ ସିଡିପିଓଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଓ ଅସାମାନ୍ୟ କାର୍ଯ୍ୟରେ ଲିପ୍ତ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନର ଅନୁମତି ବିନା ଏପରି ସାମ୍ବାଦିକ ସମ୍ମିଳନୀ କିପରି ହେଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପଦକ୍ଷେପ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ତଦନ୍ତ ଟିମ୍ ସୁନାବେଡ଼ା ଓ ସେମିଳିଗୁଡ଼ା ଗସ୍ତ କରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗର ତଦନ୍ତ କରିବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଅଭିଯୋଗ, ସିଡିପିଓଙ୍କ ପକ୍ଷର ପ୍ରତିକ୍ରିୟା ଏବଂ ତଦନ୍ତରେ ସାମ୍ନାକୁ ଆସୁଥିବା ତଥ୍ୟ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଜିଲ୍ଲା ପ୍ରଶାସନର ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ।





