୬୭ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଶିବିରରେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣାଣୀ କରିଥିଲେ। ଶିବିରରେ ମୋଟ ୬୭ଟି ଅଭିଯୋଗ ଦାଖଲ ହୋଇଥିଲା।ଏଥିରୁ ୪୩ଟି ବ୍ୟକ୍ତିଗତ ଏବଂ ୨୪ଟି ସାମୂହିକ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକର ଶୁଣାଣୀ କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗର ତ୍ୱରିତ ତଦନ୍ତ କରିବା ସହ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଲକ୍ଷ୍ମୀପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱାଇ କୁଲେସିକା ପ୍ରମୁଖ ମଞ୍ଚାସୀନ ଥିଲେ। ଲକ୍ଷ୍ମୀପୁର ବିଡିଓ ସବ୍ୟସାଚୀ ବେହେରା, ତହସିଲଦାର ନୈବେଦ୍ୟ କୁମାର ଭୋଇଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ବିଭାଗୀୟ ଅଧିକାରୀ ଶିବିରରେ ଉପସ୍ଥିତ ରହିଥିଲେ। ଅଭିଯୋଗ ଶୁଣାଣୀ ସମୟରେ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ତାହାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ବିଭିନ୍ନ ଅଞ୍ଚଳର ଅଭିଯୋଗକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।





