ପୁଷ୍ ପୁନୀ ଦିନ କେଉଁ ପ୍ରାଚୀନ ଦେବତାଙ୍କୁ ପୂଜା କରାଯାଏ ଜାଣନ୍ତି କି?

ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ‘ପୁଷ୍ ପୁନୀ’ ଅନ୍ୟତମ। ପୈାଷ ମାସର ପୂର୍ଣ୍ଣମୀ ତିଥିରେ ଏହା ପାଳିତ ହୋଇଥାଏ। ଏହା ଏକ କୃଷି ଭିତ୍ତିକ ପର୍ବ। ପୁଷ୍ ପୁନୀ ଶ୍ରମଜୀବୀ ଜନତାର ମୁକ୍ତିର ଦିନ। ପୂର୍ବେ ଜମି ମାଳିକ ମାନଙ୍କ ପାଖରେ ହଳିଆଟିଏ ବାର୍ଷିକ ଚୁକ୍ତି ହିସାବରେ ରହୁଥିଲା। ଜମି ମାଳିକ/ସାହୁକାର (ବା) ବଡ଼ ଚାଷୀ ତାକୁ ଚୁକ୍ତି ଅନୁସାରେ ସପ୍ତାହକୁ ସପ୍ତାହ କିମ୍ବା ମାସକୁ ମାସ ଧାନ ଦେଉଥିଲେ, ଏହାକୁ “ମାସ୍’ରି ହଳିଆ” ବୋଲି କୁହାଯାଏ। ଆଉ କେତେକ ହଲିଆ ସାହୁକାର ଘରେ ଦୁଇ ଓଳି ଖାଇ କାମ କରୁଥିଲେ, ଏମାନଙ୍କୁ “ଘରଖିଆ ହଳିଆ” ବୋଲି କୁହାଯାଏ। ଏମାନେ ଧାନ ଅମଳ ପରେ ଚୁକ୍ତି ଅନୁସାରେ ପାଉଣା ପାଉଥିଲେ। ପ୍ରତି ବର୍ଷ ପୈାଷ ପୂର୍ଣ୍ଣିମା ଦିନ ଏମାନଙ୍କ ଚୁକ୍ତି ଶେଷ ହେଉଥିଲା। ଏହିଦିନ ସାହୁକାର ହଳିଆମାନଙ୍କୁ କିଛି ଧନ ଦେଉଥିଲେ, ଏଥିରେ କୁକୁଡ଼ା ଓ ମଦ କିଣି ହଳିଆମାନେ ଭୋଜି ଭାତ କରି ଖାଉଥିଲେ। ପୁଷ୍ ପୁନୀ ପରଦିନ ବାସୀ, ତା’ପରଦିନ ଦିଆସି ପାଳନ କରିବାପରେ ପ୍ରାୟ ସପ୍ତାହେଧରି ପରିବାରର ସହ ଆନନ୍ଦରେ ସମୟ ଅତିବାହିତ କରିବାପରେ ପୁଣି ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଆସିଥାଏ ଶ୍ରମଜୀବୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁଷ୍ ପୁନୀ ଦିନ ଛୋଟ ଛୋଟ ଶିଶୁମାନେ ‘ଛେର୍ ଛେରା’ ଗୀତ ଗାଇ ଘର ଘର ଯାଇ ଚାଉଳ ସଂଗ୍ରହ କରି ନିକଟସ୍ଥ ଜଙ୍ଗଲ, ପାହାଡ଼, ଝରଣା କିମ୍ବା ଭଟ୍ଟାକୁ ଯାଇ ବଣଭୋଜି କରି ଖାଇଥାନ୍ତି। ଶ୍ରମଜୀବୀମାନେ ବଣ ଭୋଜି କରି ସାରିବାପରେ ନିଜ ସାହୁକାର ଏବଂ ଗାଁର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଘରକୁ ଯାଇ ମଦ ପିଇବା ପାଇଁ ଟଙ୍କା ପଇସା ମାଗିଥାନ୍ତି। ଏମାନଙ୍କୁ ମଣ୍ଡା ପିଠା (ରାଏସ୍ ମଡ଼ା) ସହ ଟଙ୍କା ପଇସା ଦେଇ ଖୁସି ମନରେ ବିଦାୟ ଦିଆଯାଇଥାଏ।

Udyog Nursery
Udyogi Nursery

ପୁଷ୍ ପୁନୀ ଅନନ୍ଦର ପର୍ବ, ସମସ୍ତଙ୍କୁ ଏକକାର କରିଦେବାର ପାର୍ବଣ। ଅନେକ ଭାବନ୍ତି ଏହି ପର୍ବ କେବଳ ମଉଜ ମଜଲିସ କରିବାପାଇଁ ଉଦ୍ଦିଷ୍ଟ ଏବଂ ଏହି ଦିନ କୈାଣସି ଦେବାଦେବୀଙ୍କୁ ପୂଜା କରାଯାଏନାହିଁ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ପୁଷ୍ ପୁନୀ ଦିନ ପ୍ରାଚୀନ ଅଭିଚାର ତନ୍ତ୍ର ଧାରାର ଜଣେ ବଳିଷ୍ଠ ଦେବତା ପୂଜା ପାଆନ୍ତି। ଆସନ୍ତୁ ଜାଣିବା ସେହି ଦେବତାଙ୍କ ସମ୍ବନ୍ଧରେ। ବର୍ଷକୁ ଥରେ ପୈାଷ ପୂର୍ଣ୍ଣିମା ବା ପୁଷ୍ ପୁନୀ ଦିନ ପୂଜା ପାଉଥିବା ଏହି ଦେବତା ହେଉଛନ୍ତି ‘ଗବଡା’। ଖତଗଦା ଦେଉଛି ଦେବତାଙ୍କ ନିବାସ। ପବିତ୍ର ଗୋମୟ ଭିତରେ ଦେବତାଙ୍କ ପରିକଳ୍ପନା କରାଯାଇଛି। ଏହି ଦେବତା ନିରାକାର ଶୁନ୍ୟ ସ୍ବରୂପ। ଆଦିମ କୃଷିଜିବୀ ସମାଜ ସମୟରୁ ଅଦ୍ୟାବଧି ଏହି ଦେବତାଙ୍କ ଉପାସନା ହୋଇ ଆସୁଛି।

ପୁଷ୍ ପୁନୀ ଦିନ ସକାଳୁ ନୂତନ କେନ୍ଦୁବାଡି ଧରି ଗାଁର ନିର୍ଦ୍ଧିଷ୍ଟ ଖତଗଦାକୁ ଯିବାକୁ ହୁଏ। ସେଠାରେ ଗବଡା ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିବାପରେ କେନ୍ଦୁବାଡିରେ ଖତଗଦାକୁ ପିଟି ‘ଛେର୍ ଛେରା’ ଗୀତ ଗାନ କରାଯାଏ। ଏହାପରେ ଘର ଘର ଯାଇ ଛେର୍ ଛେରା ମାଗିବା ପରେ ସଂଗୃହିତ ସାମଗ୍ରୀକୁ ରନ୍ଧନ କରାଯାଇଥାଏ। ରନ୍ଧା ବଢା ସରିବାପରେ ଗବଡା ଦେବତାଙ୍କ ପାଖରେ ପିଟା ଯାଇଥିବା କେନ୍ଦୁ ବାଟିକୁ ପୂଜା କରାଯାଏ ଏବଂ ଗବଡା ଦେବତାଙ୍କ ଉଦ୍ଦେଶ୍ୟରେ ରନ୍ଧନ ସାମଗ୍ରୀକୁ ସମର୍ପଣ କରାଯାଇଥାଏ। ଦେବତାଙ୍କ ଶାନ୍ତି ବିଧାନ ପାଇଁ କେନ୍ଦୁ ପତ୍ରରେ ମଦ୍ୟ ଢାଳି ସମର୍ପଣ କରାଯାଏ। ପରେ ଏହାକୁ ପ୍ରସାଦ ଜ୍ଞାନରେ ପାନ କରାଯାଏ। ପରିଶେଷରେ ଗବଡା ଦେବତାଙ୍କ ପାଖରେ ପାଣି ଛଡେଇବାପରେ ସମସ୍ତେ ଆନନ୍ଦ ମନରେ ଭୋଜି ଭାତ ଖାଇଥାନ୍ତି। ଏଥିରେ ହଳିଆ ସାହୁକାର, ଧନୀ ଗରିବର ବାଛ ବିଚାର ନଥାଏ। ପୁଷ୍ ପୁନୀ ସମସ୍ତଙ୍କୁ ଏକକାର କରିଦେଇଥାଏ।

ପୁଷ୍ ପୁନୀ ପର୍ବରେ ଗବଡା ଦେବତାଙ୍କ ଉପାସନା ଯେପରି ସ୍ବତନ୍ତ୍ର ସେହି ପରି ଏହି ପର଼ବରେ ଗାନ କରାଯାଉଥିବା ଛେର୍ ଛେରା ଗୀତ ମଧ୍ୟ ସ୍ବତନ୍ତ୍ର। ଛେର୍ ଛେରା ଗୀତ ବର୍ଷକୁ ଥରେ ମାତ୍ର ପୁଷ୍ ପୁନୀ ଦିନ ଗାନ କରାଯାଇଥାଏ।

” ଛେର୍ ଛେର୍ ଛେରା…..
ଇ ଘର ବୁଡ଼ି କେନେ ଗଲା
ଲିଆ ଖାଇ ଖାଇ ଛେରେଇ ହେଲା
ଛେର୍ ଛେର୍ ଛେରା…।

ଛେର୍ ଛେର୍ ଛେରା…..
ବଡ୍ ମୁଡାର କଲା ଜିଆଁ
ଧାନ୍ ନାଇଁ ଦିଅଁ ଚଉଲ୍ ଦିଅଁ
ଛେର୍ ଛେର୍ ଛେରା….।

ଛେର୍ ଛେର୍ ଛେରା…..
ଆମ୍ ପତର୍ ଲମ୍ ଲମ୍
ଘିଚି ଖା ତର୍ ପେଟର୍ ଚମ୍
ଛେର୍ ଛେର୍ ଛେରା…।

ଛେର୍ ଛେର୍ ଛେରା….
ଗଉଡ୍ ଘରର୍ ଗାଏ ଗଠ୍
ଦେ ଗହରେନ୍ ଝଟ୍ ଝଟ୍
ଛେର୍ ଛେର୍ ଛେରା…..।

ଛେର୍ ଛେର୍ ଛେରା….
ଆଏଲାନେ ଆମ୍ ବଉଲ
ଲୋକ୍ ଜାନିକରି ଦିଅ ଚାଉଲ
ଛେର୍ ଛେର୍ ଛେରା…।

ଛେର୍ ଛେର୍ ଛେରା….
ଛେର୍ ଛେରା ବଲି ଗାଇଲି ଗୀତ
ଫଟା ଗଁଥା ନାଇଁ ଶୀତ
ଛେର୍ ଛେର୍ ଛେରା…..।‌।”

ଛେର୍ ଛେରା ଗୀତର ମାଧୁର୍ଯ୍ୟ ଅନନ୍ୟ ଯାହା ଶ୍ରୋତା ଏବଂ ଗାୟନ କରୁଥିବା ବ୍ୟକ୍ତିଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ଏଥିରେ କୈାଣସି ବାଦ୍ୟ ଯନ୍ତ୍ରର ବ୍ୟବହାର ହୋଇନଥାଏ। ବାଡିର ଠକ୍ ଠକ୍ ଶବ୍ଦକୁ ତାଳ ଦେଇ ଛେର୍ ଛେରା ଗୀତ ଗତିଶୀଳ ହୋଇଥାଏ। ଏହି ଗୀତ ମାଧ୍ୟମରେ ସେହି ସମୟର ଚଳଣୀ ଓ ସାମାଜିକ ଚିତ୍ର ଜଳ ଜଳ ହୋଇ ଦିସିଯାଏ। ତେଣୁ ଏହାର ସଂରକ୍ଷଣ ଜରୁରୀ ବୋଲି ମନେହୁଏ। ବର୍ତ୍ତମାନ ପୂର୍ବର ସେହି ମାସରି ହଲିଆ କିମ୍ବା ଘରଖିଆ ହଳିଆ ପ୍ରଥା ନାହିଁ। କିନ୍ତୁ ପ୍ରାଚୀନ ପରମ୍ପରା ଧାରା କ୍ରମରେ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଏହି ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇ ଆସୁଛି।

ଉପସ୍ଥାପନା:
✒️ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.