ପ୍ରଶାସନ କିମ୍ବା ଶ୍ରମ ବିଭାଗର ନଜର ନାହିଁ
କଳାହାଣ୍ଡି, (ନିରଞ୍ଜନ ଗଉଡ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିରେ ଶ୍ରମିକମାନେ ଶୋଷଣର ଶିକାର ହେଉଥିବା ପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବୈବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡର ଅନେକ ଲଘୁ ଉଦ୍ୟୋଗ, ଭାଙ୍ଗ ଫେକ୍ଟ୍ରି, ଧାନ ମିଲ, ମିକ୍ସର କମ୍ପାନୀ, ଦୋକାନ, ମାଳ ପରିବହନ, ଗୃହ ନିର୍ମାଣ, ହୋଟେଲ, ବେନିୟମ ଅପମିଶ୍ରଣ କାର୍ଯ୍ୟ, ପ୍ୟାକିଙ୍ଗ, ଲୁଗା ସିଲେଇ ଉଦ୍ୟୋଗ ସହ ଘରୋଇ କାର୍ଯ୍ୟରେ ଅନେକ ଶ୍ରମିକ ନିୟୋଜିତ ହୋଇଥାନ୍ତି। ନର୍ଲା ବ୍ଲକ ତଥା ବିଭିନ୍ନ ପଞ୍ଚାୟତରେ ବିଗତ ୫ବର୍ଷ ମଧ୍ୟରେ ଆଖି ଦୃଷିଆ ଉନ୍ନୟନ କାର୍ଯ୍ୟ ହୋଇପାରିନଥିବାରୁ ଏହି ଅଞ୍ଚଳର କର୍ମଜିବୀମାନେ ବାଧ୍ୟ ହୋଇ ରୁପ୍ରାରୋଡ ବସ୍ତି ଉପରେ ନିର୍ଭର କରିଥାନ୍ତି। ଏହାର ସୂଯୋଗ ନେଇ ବସ୍ତିର ବିଭିନ୍ନ ମାଲିକମାନେ ଶ୍ରମିକମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିବା ଜଣାପଡିଛି।
ଶ୍ରମିକମାନଙ୍କ ଠାରୁ ପ୍ରାପ୍ତ ସୂଚନା ଆଧାରରେ ରୁପ୍ରାରୋଡର କେତେକ ସାହୁକାର ଲେବର ଲ’ ଏବଂ ସରକାରୀ ନିତି ନିୟମକୁ ବେଖାତିର କରି ଚାଲିଛନ୍ତି। ଶ୍ରମଜୀବୀମାନଙ୍କ ଝାଳବୁହା ପରିଶ୍ରମ ହେତୁ ସଂପୃକ୍ତ ମାଳିକମାନେ ମାଲାମାଲ ହୋଇଥାନ୍ତି। ତେବେ ଏଥିରେ ଶ୍ରମିକମାନଙ୍କ ସ୍ବାର୍ଥକୁ ଦେଖାଯାଏ ନାହିଁ। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ଏବଂ ମଜୁରୀ ଠାରୁ କମ ମଜୁରୀରେ ଆଧିକ କାର୍ଯ୍ୟ କରିବାକୁ ଏମାନେ ବାଧ୍ୟ ହେଉଥିବା ଜଣାପଡ଼ିଛି। ଅନେକ କର୍ମଜୀବୀ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାର୍ଯ୍ୟ କରିଥାନ୍ତି। ଏମାନଙ୍କ ସୁରକ୍ଷା ଉପରେ ମାଲିକମାନେ ମୋଟେ ଧ୍ୟାନ ଦେଉନଥିବା ପରିଲକ୍ଷିତ ହେଉଛି। କେତେକ ସ୍ଥାନରେ ପୁତି ଗନ୍ଧମୟ ପରିବେଶ ତଥା ମାଦକ ଦ୍ରବ୍ୟ ଯୋଗୁଁ ଶ୍ରମିକମାନେ ଅନେକ ସମୟରେ ରୋଗ ବେମାରରେ ପଡିଥାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରୁପ୍ରାରୋଡ ବସ୍ତି ତଥା ଏହାର ପାର୍ଶ୍ଵବର୍ତ୍ତୀ ଗ୍ରାମ ମାନଙ୍କରେ ଗଢି ଉଠିଥିବା ଉଦ୍ୟୋଗମାନଙ୍କରେ କାମ କରୁଥିବା ଶ୍ରମିକମାନଙ୍କ ଇପିଏଫ କଟିନଥାଏ। ସଂପୃକ୍ତ ମାଲିକମାନେ ୧୦/୧୨ ଜଣ ଶ୍ରମିକଙ୍କ ଇପିଏଫ ଦେଖାଉଥିବା ବେଳେ ଅନେକ ଶ୍ରମିକଙ୍କ ଇଫିଏଫ ଫାଙ୍କି ଥାନ୍ତି। କେତେକ ଦୋକାନୀ ଓ ଉଦ୍ୟୋଗପତିମାନେ ହୋଲସେଲ ସାମଗ୍ରୀର ପରିବହନରେ ଅନେକ ଶ୍ରମିକ ନିୟୋଜିତ କରିଥାନ୍ତି। ଏହି ନିରିହ ଶ୍ରମିକମାନେ ଅଜଣାତରେ ଅନେକ ଅବୈଧ କାରବାର ସହ ଜଡ଼ିତ ହୋଇଥାନ୍ତି, କାରଣ ରୁପ୍ରାରୋଡରୁ ଅନେକ ସମୟରେ ଜିଲ୍ଲା ତଥା ପଡୋଶୀ ରାୟଗଡ଼ା, କୋରାପୁଟ, ମାଲକାନଗିରି ପର୍ଯ୍ୟନ୍ତ ସାମଗ୍ରୀ ପରିବହନ ହୋଇଥାଏ। ଏଥିରେ କଳା ବଜାରୀ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି। ତେଣୁ କୈାଣସି ସ୍ବାର୍ଡ/ ଶ୍ରମ ବିଭାଗ/ବିକ୍ରି କର ବିଭାଗ/ଅବକାରୀ ଆସିଲେ ରୁପ୍ରାରୋଡର ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ହୋଇଯାଏ। ସହର ଭିତରେ ଏବଂ ବାହାରେ ଥିବା ଅନେକ ମିକ୍ସର ଫେକ୍ଟ୍ରି, ଭାଙ୍ଗ ଫେକ୍ଟ୍ରି ଓ ଅନ୍ୟାନ୍ୟ ଉଦ୍ୟୋଗମାନଙ୍କରେ ବର୍ଷ ବର୍ଷଧରି କାମକରିଆସୁଥିବା ଶ୍ରମିକମାନଙ୍କ ଇପିଏଫ ବ୍ୟବସ୍ଥା ହୋଇନଥିବା ଜଣାପଡିଛି। ଏମିତି ଅନେକ ଅବ୍ୟବସ୍ଥା ମଧ୍ୟରେ ଶ୍ରମିକମାନେ କାମ କରୁଥିଲେ ମଧ୍ୟ ପ୍ରଶାସନ ଓ ଶ୍ରମ ବିଭାଗର ନଜର କିପରି ଏମାନଙ୍କ ଉପରେ ପଡିପାରୁନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଯଦି ଅଚାନକ ରାଜ୍ୟ/ଜିଲ୍ଲା ଶ୍ରମ ବିଭାଗ ଓ ପ୍ରଶାସନର ଚଢାଉହୁଏ ତେବେ ରୁପ୍ରାରୋଡର ଅନେକ ଗୁମର ଫିଟିଯିବ। ତେଣୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।