ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତର ଧଅଁରାମାଲ ପିପଲପଡା ସ୍ଥିତ ମାଁ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଋଷି ଗୌଡ଼, ସାଧାରଣ ସମ୍ପାଦକ କାନ୍ତ କରୁଆଁ, କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ତଥା ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା। ସୋମବାର କଳସ ଯାତ୍ରା ଓ ଅଧିବାସ ପରେ ମଙ୍ଗଳବାର ସକାଳୁ ନାମାରମ୍ଭ ହୋଇଥିଲା। ରଜନୀକାନ୍ତ ଗୌଡ଼, ଭାଗିରଥୀ ଗୌଡ଼, ରାଜୀବ ମାଝୀ, ହରିଶ ଭୋଇ ପ୍ରମୁଖ ପୂଜକ ଦାଇତ୍ୱ ନିର୍ବାହ କରିଥିଲେ। ସକାଳେ ଓ ସନ୍ଧ୍ୟାରେ ଦେବୀ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ବୁଧବାର ପୂର୍ଣ୍ଣାହୁତି ସହ ମାଁ ତାରାଣୀଙ୍କ ଏହି ବାର୍ଷିକ ପୂଜାନୋତ୍ସବ ସମାପନ ହେବ ବୋଲି ସୂଚନା ରହିଛି।





