ରାୟଗଡ ଜିଲ୍ଳା ବୃତି ପରୀକ୍ଷାରେ ଜାମ୍ବୁ ପ୍ରାଥମିକ ବିଦ୍ୟାଳୟ ସର୍ବଶ୍ରେଷ୍ଠ

ରାୟଗଡ, (ଶିବ ନାରାୟଣ ଗୈାଡ): ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଗରୀବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ତୃତୀୟ ଓ ପଂଚମ ଶ୍ରେଣୀରେ ମେଧାବୃତି ପରୀକ୍ଷା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ଓଡିଶା ସରକାରଙ୍କ ତରଫରୁ ପ୍ରୋତ୍ସାହନ କରାଯାଉଛି । ପୂର୍ବରୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୃତି ପାଇବା ଆକସ୍ମାତ ଥିବା ବେଳେ ଚଳିତ ବର୍ଷ ଗୋଟିଏ ବିଦ୍ୟାଳୟରୁ ୩ଜଣ ଛାତ୍ରଛାତ୍ରୀ ବୃତି ପରୀକ୍ଷାରେ କୃତି ଅର୍ଜନ ସହ ରାୟଗଡ ବ୍ଳକରେ ଚହଳ ସୃଷ୍ଟି କରିଛି । ଗୋଷ୍ଠୀ ଶିକ୍ଷାଧିକାରୀ,ରାୟଗଡଙ୍କ ଆଦେଶ ସଂଖ୍ୟା ୧୯୧/୨୫/୧/୨୧ ଓ ଆଦେଶ ସଂଖ୍ୟା ୧୯୮/୨୫/୧/୨୧ ଅନୁଯାୟୀ ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ମେଧାବୃତି ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇଛି । ଉକ୍ତ ପତ୍ର ଅନୁସାରେ ତୃତୀୟ ଶ୍ରେଣୀ ବୃତି ପରୀକ୍ଷାରେ ଜାମ୍ବୁ ପ୍ରାଥମିକ ବିଦ୍ୟାଳୟରୁ ପ୍ରଶାନ୍ତ ମିଣିଆକା ଓ ମୁନା ମିଣିଆକା କୃତି ଘୋଷିତ ହେବା ସହ ମାସିକ ଶହେ ଟଙ୍କା ଲେଖାଁଏ ଦୁଇ ବର୍ଷ ନିମନ୍ତେ ପ୍ରୋତ୍ସାହନ ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ପଂଚମ ଶ୍ରେଣୀରେ କୃତି ଛାତ୍ରୀ ସବିତା ମିଣିଆକା ମଧ୍ୟ ମାସିକ ଦୁଇଶହ ଟଙ୍କା ଲେଖାଁଏ ବୃତି ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଚଳିତ ବର୍ଷ ବିବେଚିତ ହୋଇଛନ୍ତି । ସେହିପରି ଜାମ୍ବୁ ପ୍ରାଥମିକ ବିଦ୍ୟାଳୟରୁ ୨୦୧୯-୨୦ଶିକ୍ଷା ବର୍ଷରେ ମଂଟୁ ହୁଇକା ଓ ୨୦୧୮-୧୯ ଶିକ୍ଷା ବର୍ଷରେ ସବିତା ମିଣିଆକା ତୃତୀୟ ଶ୍ରେଣୀ ମେଧା ବୃତି ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ମାସିକ ଏକଶହ ଟଙ୍କା ବୃତି ପ୍ରୋତ୍ସାହନ ରାଶି ପାଉଥିବା ନେଇ ପ୍ରଧାନଶିକ୍ଷକ ନୀଳାଂଚଳ ପଣ୍ଡା ପ୍ରକାଶ କରିଛନ୍ତି ।


ଗତ ୨୦୧୧ ମସିହାରୁ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଉକ୍ତ ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି । ସୀମତି ସୁବିଧା ମଧ୍ୟରେ ଗରୀବ ଆଦିବାସୀ ଜୀବନ କାଳାତିପାତ କରୁଥିବା ଓ ପିତାମାତାଙ୍କ ପିଲାଙ୍କ ଶିକ୍ଷା ନିମନ୍ତେ ଯତ୍ନଶୀଳତାର ଅଭାବ ସତ୍ୱେ ବିଦ୍ୟାଳୟର ଶିକ୍ଷକଙ୍କ ଅନବରତ ପ୍ରଚେଷ୍ଠା ଓ ପିଲାଙ୍କ ଆଗ୍ରହ ଏଭଳି ଲଗାତାର ତିନିବର୍ଷ ବୃତି ଯୋଗ୍ୟ ଛାତ୍ରଛାତ୍ରୀ ପ୍ରସ୍ତୁତିରେ ସମ୍ଭବ ହୋଇଥିବା ନେଇ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । କେବଳ ଦୁଇଜଣ ଶିକ୍ଷକ ଶ୍ରୀ ପଣ୍ଡା ଓ ଗୁପ୍ତେଶ୍ୱର ବିଶୋଇ କାର୍ଯ୍ୟରତ ଥିବା ବେଳେ ଶ୍ରୀ ପଣ୍ଡା ଓ ଶ୍ରୀ ବିଶୋଇଙ୍କ ଦାୟିତ୍ୱ ପୂର୍ଣ୍ଣତା ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏଭଳି ଆଦିବାସୀ ଅଧ୍ୟୁଷିତ ଗାଁରୁ ଅନେକ ଛାତ୍ରଛାତ୍ରୀ ବୃତି ପ୍ରୋତ୍ସାହନ ରାଶି ପାଇବା ଓ କୃତକାର୍ଯ୍ୟ ହେବା ସମ୍ଭବ ହୋଇ ପାରିଛି ବୋଲି ପିତାମାତା ଓ ଅଭିଭାବକ ବୃନ୍ଦ ପ୍ରକାଶ କରିଛନ୍ତି । ଅନ୍ୟ ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.