ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡମ୍ବ ସମାଜ ତରଫରୁ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ବେହେରାପାଟି କୃଷି ଅଫିସ ସମ୍ମୁଖରେ ଆଜି ଅପ୍ରେଲ ୧୪ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡଃ. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ନର୍ଲା ଡମ୍ବ ସମାଜର ସଭାପତି ବଳରାମ ହରପାଲଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ଉପସଭାପତି ତଥା ଆବାହକ ଅଭିରାମ ନନ୍ଦଙ୍କ ନେତୃତ୍ୱରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ଯୋଗଦାନ କରି ସମ୍ବିଧାନ ପ୍ରଣେତା ବାବା ଆମ୍ବେଦକରଙ୍କ ସ୍ମୃତିଚାରଣ କରି ସେ ଜଣେ ରାଷ୍ଟ୍ରବାଦୀ ଜନନାୟକ ବୋଲି କହିଥିଲେ। କାର୍ଯ୍ଯକ୍ରମର ସଭାପତି ଶ୍ରୀ ହରପାଲ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଆବାହକ ଜିଲ୍ଲା ଉପସଭାପତି ଶ୍ରୀ ନନ୍ଦ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଣୀଧନ ଚିକିତ୍ସାଧିକାରୀ ଡ ନୀଳମଣି ଦୀପ, ବରିଷ୍ଠ ନେତା ଦୁର୍ଯ୍ୟୋଧନ କୁମାର, ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ଦାୟାଦ ଧନସିଂ ମାଝୀ ପ୍ରମୁଖ ମଞ୍ଚାସୀନ ରହି ଆମ୍ବେଦକରଙ୍କ ସ୍ମୃତି ଚାରଣ କରି ଆମ୍ବେଦକରଙ୍କ ରାଷ୍ଟ୍ର ଓ ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବିଜେଡି ଜିଲ୍ଲା ଉପସଭାପତି ପ୍ରଶାନ୍ତ ନାଏକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଡ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ବରିଷ୍ଠ ସଦସ୍ୟ, ଯୁବନେତା ଆଶୁ କବି କୌତୁକ ଖମାରୀ ମଞ୍ଚ ପରିଚାଳନା କରିଥିଲେ। ଖଗେଶ୍ବର କୁମାର, ଅଭୟ ନାଏକ, କମଲ ତାଣ୍ଡି, ନିର୍ମଳ ଦୀପ, ପୂର୍ବତନ ସରପଞ୍ଚ ନରସିଂହ କୁମାର, ସନକ ନାଏକ, ଅକ୍ରୁର କୁମାର, ସୁରେଶ ତାଣ୍ଡି, ସୁବାଷ ନାଗ, ସଦାନନ୍ଦ ହରପାଲ, କୁଳମଣି ସୁନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆବାହକ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।





