ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଏକ ବିକଶିତ ଓଡ଼ିଶା ଗଠନ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପ୍ରମୁଖ ଭୂମିକା ନେଇଛନ୍ତି। ଆଜି ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ, ଜନ୍ମ ଠାରୁ ମୃତ୍ୟୁ ଯାଏଁ ସମସ୍ତ ପ୍ରକାର ଯୋଜନା ମାଧ୍ୟମରେ ବିକାଶ ପଥରେ ରାଜ୍ୟ ଆଗେଇ ଚାଲିଛି। ଏନେଇ ଲୋକଙ୍କୁ ଜଣାଇବା ସହ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ତଥା ସଂଗଠନମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ତେବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବେହେରାଠାରେ ସ୍ଥାନୀୟ ଆୟୋଜକଙ୍କ ଅବହେଳା ଯୋଗୁଁ ଏହି କାର୍ଯ୍ୟକ୍ରମ ଦିଗହରା ହୋଇପଡ଼ିଛି। ଫଳରେ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ କୁମୁଦିନୀ ଗଇଁତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ, ସମିତି ସଭ୍ୟ କିଶୋର ନାଗ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ବିଜେଡି ସଭାପତି ଟିକମନ ଯାଦବ, ସମାଜସେବୀ ନିର୍ମଳ ଗୋପାଳ, ଗୌରଚନ୍ଦ୍ର ବାଗ, ଅବସରପ୍ରାପ୍ତ ଶିକ୍ଷକ ତୁଳସୀରାମ ବାରିକ, ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ତିୱାରି, କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ, କୃଷି ସେବା ସମବାୟ ସମିତି ସଭାପତି ଭବେଶ ଗଇଁତା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ବେହେରା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳ ତଥା ପଞ୍ଚାୟତର ଶହ ଶହ ମହିଳା ପୁରୁଷ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ଖୋଲାଯାଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତଥା ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ, ଗ୍ରାମୀଣ ପ୍ରତିଭା ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କିନ୍ତୁ ଅଞ୍ଚଳର ଉନ୍ନତି ଦିଗରେ ଅହରହ ପ୍ରୟାସରତ ଅନୁଷ୍ଠାନ ତଥା ବ୍ୟକ୍ତିମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରା ନଯିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ଲୋକଙ୍କ ସେବା ସହିତ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିବା ଅନୁଷ୍ଠାନ ତଥା ସାମ୍ବାଦିକମାନଙ୍କୁ ଅଣଦେଖା ଆୟୋଜକଙ୍କ ଅପରିପକ୍ୱତାର ପରିଚାୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।