ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ୧୬ତମ ବାର୍ଷିକୋତ୍ସବ ‘ସମର୍ପଣ-୨୦୨୬’ ଦିନ ରାଇସିଂପୁରସ୍ଥିତ ପ୍ରଗତି ପଡ଼ିଆଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ଶାଶ୍ୱତ ଯୋଶୀ ଏବଂ ଡ଼. ସଂଜୀବ ପଟ୍ଟଯୋଶୀ ଆଇ. ପି. ଏ. ଏସ, କେରଳ ସରକାରଙ୍କ ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ADGP) ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏବଂ କଳାହାଣ୍ଡିର ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର ଶ୍ରୀ ସୁଜିତ ମେହେରଙ୍କ ଉପସ୍ଥିତ ଉତ୍ସବକୁ ଆହୁରି ଏକ ବିଶେଷ ଗରିମା ପ୍ରଦାନ କରିଥିଲା। ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଞ୍ଜିନିୟର ଅଜୟ କୁମାର ପଣ୍ଡା ଓ ଚେୟାରପର୍ସନ ସୁଶ୍ରୀ ସଙ୍ଗୀତା ପଣ୍ଡାଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଗେଶ୍ୱର ବେମାଲ, କଲେଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର,ଜୁନିୟର ୱିଙ୍ଗ୍ର ଅଧ୍ୟକ୍ଷା ଅର୍ଶିୟା ଶୈଳା, ପରିଚାଳନା ସମିତି ସଭାପତି ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଓ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏବଂ ଏହି ଅବସରରେ ସମ୍ପାଦକ ଇ. ଅଜୟ କୁମାର ପଣ୍ଡା ନିଜ ଅଭିଭାଷଣରେ ପ୍ରଗତିର ୧୬ ବର୍ଷର ଗୌରବମୟ ଯାତ୍ରା, ଶିକ୍ଷାର ମାନବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତଙ୍କ ସମର୍ପଣ ଓ ସହଯୋଗକୁ ପ୍ରଶଂସା କରିଥିଲେ। ଏଥିସହିତ ମୁଖ୍ୟ ଅତିଥି ଶ୍ରୀ ଶାଶ୍ୱତ ଯୋଶୀ ଏବଂ ଡ଼. ସଂଜୀବ ପଟ୍ଟଯୋଶୀ ମଧ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ‘ପ୍ରଗତି ପ୍ରତିଭା ପ୍ରତିଯୋଗିତା’ର ପୁରସ୍କାର ବିତରଣୀ ଉତ୍ସବ ଏବଂ ସମସ୍ତ ୱିଙ୍ଗ୍ର ସଫଳତା ହାସଲ କରିଥିବା ‘ଛାତ୍ରଛାତ୍ରୀଙ୍କ କୃତିତ୍ୱ ସମ୍ମାନ’ ପ୍ରଦାନ କରାଯାଇଥିଲା।ଏବଂ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲା ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରାଯାଇଥିଲା। ଉତ୍ସବର ମୁଖ୍ୟ ଅତିଥି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ଶାଶ୍ୱତ ଯୋଶୀ ନିଜର ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ତାଙ୍କର ଏହି ନୃତ୍ୟ ପରିବେଷଣ ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଥିଲା। ଛାତ୍ରଛାତ୍ରୀମାନେ ସୁନ୍ଦର ମଞ୍ଚ ପରିଚାଳନା ଓ ଆକର୍ଷଣୀୟ ଉପସ୍ଥାପନା ମାଧ୍ୟମରେ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ ସହ ଉତ୍ସବର ପରିସମାପ୍ତି ଘଟିଥିଲା।





