ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ପାଣିଗାଁର କୃଷ୍ଣଚନ୍ଦ୍ର ଶବର (୪୭) ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮ଟା ସମୟରେ କୃଷ୍ଣଚନ୍ଦ୍ର ଘର ପଛ ବାରିପଟେ ବିଷ ପାନ କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ତୁରନ୍ତ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ କୃଷ୍ଣଚନ୍ଦ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାର ଖବର ପାଇ ସୋମବାର ସକାଳେ କୋକସରା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।