ବାଲେଶ୍ୱର ପୌରପାଳିକାରେ ଆରମ୍ଭ ହେଲା ଡେଥ୍ ଭ୍ୟାକେନ୍ସି ଭତ୍ତା ବଣ୍ଟନ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଅଭାବୀ ପରିବାରକୁ ସହାୟତାର ହାତ ବଢ଼ାଇବା ଲକ୍ଷ୍ୟରେ ବାଲେଶ୍ୱର ପୌରପାଳିକା ପକ୍ଷରୁ ଶାରୀରିକ ଅକ୍ଷମ ଓ ବିଧବା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ଗୁରୁବାର ପର୍ଯ୍ୟନ୍ତ ଚାଲିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି। ପୌରପାଳିକା କାର୍ଯ୍ୟାଳୟରେ ଆୟୋଜିତ ଏହି ଶିବିରେ ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏଥିରେ ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ଉପେନ୍ଦ୍ର ନାଥ ଶତପଥୀ ଓ ପୌରପାଳିକାର ସମସ୍ତ କାଉନସିଲର ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରଶାସନ ସୂତ୍ରୁ ଜଣାପଡିଛି ଯେ ନୂଆ ଭତ୍ତା ଆବେଦନକାରୀଙ୍କୁ ଦୁଇ ମାସର ବକେୟା ଭତ୍ତା ସହିତ ଖାତା ମଧ୍ୟ ପ୍ରଦାନ କରାଯାଉଛି। ପ୍ରତିଦିନ ୫ ଟି ଓ୍ବାର୍ଡର ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ଏହି ପର୍ଯ୍ୟାୟ ଶେଷ ହେବା ପରେ ହିତାଧିକାରୀମାନେ ପ୍ରତି ମାସରେ ନିଜ ନିଜ ଓ୍ବାର୍ଡରୁ ସିଧାସଳଖ ଭତ୍ତା ପାଇପାରିବେ। ଏହି ଭତ୍ତା ଶାରୀରିକ ଅକ୍ଷମ, ବିଧବା ବର୍ଗର ହିତାଧିକାରୀଙ୍କୁ ପ୍ରତି ମାସରେ ନିୟମିତ ଭାବେ ପ୍ରଦାନ କରାଯାଏ। ପୌରପାଳିକାର ଲକ୍ଷ୍ୟ ହେଉଛି ପ୍ରାୟ ୨୦୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନା ଅଧୀନରେ ସହାୟତା ପ୍ରଦାନ କରିବା। ପୌରାଧ୍ୟକ୍ଷା କହିଛନ୍ତି, “ସମାଜର ଦୁର୍ବଳ ବର୍ଗଙ୍କୁ ସରକାରୀ ଯୋଜନାର ସୁଫଳ ସିଧାସଳଖ ପହଞ୍ଚାଇବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ଭତ୍ତା ଦିଆଯିବ ଏବଂ କାହାକୁ ମଧ୍ୟ ଅସୁବିଧା ହେବାକୁ ଦିଆଯିବ ନାହିଁ।” ଯଥା ସମୟରେ ଭତ୍ତା ପାଇ ହିତାଧିକାରୀମାନେ ପୌରପାଳିକାର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ପୌରାଧ୍ୟକ୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.