ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଲାଙ୍ଗଶୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ନାରୁଣୁ ମାଝୀଙ୍କ ଝିଅ ଗୌରୀ ମାଝୀ (୬)ଗାଁ ନିକଟସ୍ଥ ଏକ ପୋଖରୀ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ ତାଳଙ୍ଗଶୁର ଗାଁର ନାରୁଣୁ ମାଝୀଙ୍କ ଝିଅ ଗୌରୀ ମାଝୀ ଗାଁର ତିନିଜଣ ସାଙ୍ଗଙ୍କ ସହ ଅପରାହ୍ନ ୪ଟାରେ ଗାଧୋଇବା ପାଇଁ ଗାଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସାଙ୍ଗରେ ଥିବା ଶିଶୁ ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ପାରି ନ ଥିଲେ ଯାହାଫଳରେ ଶିଶୁ ଗଭୀର ପାଣି ଭିତରକୁ ଭାସି ଯାଇଥିଲା। ଭାସି ଯିବା ଦେଖି ଶିଶୁ ମାନେ ଚିତ୍କାର କରି ପରିବାର ଲୋକଙ୍କୁ ଡାକିବାରୁ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଥିଲେ। ପରିବାର ପହଞ୍ଚିବା ପୂର୍ବରୁ ଗୌରୀ ପାଣିରେ ଆଚେତ ହୋଇ ପଡ଼ିଥିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବେନଗାଁ ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଶିଶୁର ଚେତା ନ ଫେରିବାରୁ ତାଙ୍କୁ ବାଇକ ଯୋଗେ ବିଶ୍ୱନାଥପୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବିଜେପୁର ଥାନାରେ ୟୁଡି ୪/୨୪ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବିଜେପୁର ପୋଲିସ ପକ୍ଷରୁ ସୂଚନା ମିଳିଛି।





