ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ଠାରେ ଥିବା ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠରେ ବାହୁଡ଼ା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଦିନ ତମାମ ବିଭିନ୍ନ ନିତିକାନ୍ତି ଚିଲିବା ପରେ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା। ଭକ୍ତଙ୍କ ଗହଣରେ ହଲି ଝୁଲି ଆସିଥିଲେ ମହାପ୍ରଭୁ ଦଧିବାମନ। ଠାକୁରଙ୍କୁ ରଥାରୂଢ କରାଯାଇ ରଥଟଣା ଯାଇଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଛେରାପହରା କରିଥିଲେ। ମୁଖ୍ୟ ସେବାୟତ ତପିବର ଦାସ, ଗୌନ୍ତିଆଙ୍କ ପ୍ରତିନିଧି କାନ୍ତ ମାଝୀ ଓ ଖିରାବ୍ଧି ମାଝୀ, ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ହରି ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ରାମଚନ୍ଦ୍ର ଦାସ, ଗୋପାଳ ସେବକ ଟିକେ ଗଉଡ, ପିତ ଗଉଡ ପ୍ରମୁଖ ସେବା ପ୍ରଦାନ କରିଥିଲେ। ଦେବଗିରି ରଥଯାତ୍ରାର ସ୍ବତନ୍ତ୍ରତା ହେଉଛି ଡମ୍ ବଜା, କେନ୍ଦୁ ବାଡ଼ିରେ ଆଜ୍ଞାମାଳ, ଡାହୁକର ଡାକ, ଯାଦବ – କନ୍ଧ ଓ ଡମ୍ବ ସଂପ୍ରଦାୟର ସେବା ପ୍ରଦାନ ଏବଂ ଯାଦବ ରମଣୀଙ୍କ ବନ୍ଦାପନା। ରଥ ଉପରେ ଡାହୁକ ବିଜୟ ଧଙ୍ଗଡାମାଝୀଙ୍କ ଡାକରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ଏହି ଅବସରରେ ଘଣ୍ଟ ବାଦ୍ୟ, ଡମ୍ ବଜା ଓ ସଂକିର୍ତ୍ତନ୍ୟ ଆଦି ଲୋକକଳା ପ୍ରଦର୍ଶିତ ହୋଇଥିଲା। ଶ୍ରୀଗୁଣ୍ଡିଚା ଘରୁ ଯାଇ ମନ୍ଦିରରେ ପହଞ୍ଚିବାପରେ ଠାକୁରଙ୍କୁ ଯାଦବ ରମଣୀ ମାନେ ବନ୍ଦାପନା କରିଥିଲେ। ଲକ୍ଷ୍ମୀ ନାରାୟଣ ଭେଟ ପରେ ଦଧିବାମନଜୀଉ ମନ୍ଦିରକୁ ପ୍ରବେଶ କରିଥିଲେ। ଜନସାଧାରଣ ରଥଯାତ୍ରା ଦେଖିବା ସହ ଦେବଗିରି ପାହାଡ଼ ଚଢ଼ି ପ୍ରକୃତିର ଭରପୁର ମଜା ନେଇଥିଲେ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଶତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ବିଭିଷଣ ଧଙ୍ଗଡାମାଝୀଙ୍କ ସମେତ ପୁରାଣ ପାଠକ ପୂର୍ବା ଗଉଡ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, କୈଳାଶ ଗଉଡ, ଧନେ ହେର୍ଣ୍ଣା, ଡମବୁଡା ଗଉଡ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଯାତ୍ରାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା।





