ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ଓ ସଂସ୍କୃତିର ମିଳନସ୍ଥଳୀ ବାଲେଶ୍ଵରର ଆତିଥ୍ୟ ସମ୍ମିଳନୀ କକ୍ଷରେ ଗତକାଲି ସନ୍ଧ୍ୟାରେ ଓଡ଼ିଶାର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ ପକ୍ଷରୁ ଆୟୋଜିତ ସାରସ୍ବତ ସ୍ରଷ୍ଟା ରାଜୀବ ପାଣିଙ୍କ ତିନୋଟି ସୃଜନଶୀଳ କୃତିର ଏକାଳୀନ ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଉରକେଲାରେ ବସବାସ କରୁଥିବା ବାଲେଶ୍ଵର ଜିଲ୍ଲା ଦରଡ଼ା ଗ୍ରାମର ସନ୍ତାନ ରାଜୀବ ପାଣି କବି, ପ୍ରାବନ୍ଧିକ, ସୁବକ୍ତା, ନାଟ୍ୟ ନିର୍ଦ୍ଦେଶକ-ଅଭିନେତା ଏବଂ ସଂଗଠକ ଭାବେ ପରିଚିତ। ତାଙ୍କର ‘ଆତ୍ମନାଦ’ କବିତା ସଂକଳନ, ‘ନାଟ୍ୟକଳ୍ପ’ ଚିନ୍ତନ ସଂକଳନ ଏବଂ ‘ଭାରତୀୟ ଦର୍ଶନ ଓ ଗୁରୁକୁଳ’ ଗବେଷଣାତ୍ମକ ରଚନା ଏକାଠି ଲୋକାର୍ପିତ ହୋଇଯାଇଛି। କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ ଏବଂ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର ଯୁଗ୍ମ ଭାବେ ଉଦ୍ଘାଟନ କରିଥିଲେ। ଭାରତୀୟ ଦର୍ଶନ ଓ ଗୁରୁକୁଳ ପରମ୍ପରାକୁ ନେଇ ଲେଖକଙ୍କ ଭାବାବେଗପୂର୍ଣ୍ଣ ସୃଜନାଭିବ୍ୟକ୍ତି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶେଷରେ ତରୁଣ କବି ଉତ୍ପଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସାହିତ୍ୟିକ ସନ୍ଧ୍ୟାରେ ବାଲେଶ୍ଵରର ବହୁ ପ୍ରବୀଣ ଲେଖକ ଓ ସଂସ୍କୃତିକର୍ମୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ସୁଶ୍ରୀ ଅରୁଣା ରାୟ, ଶ୍ରୀମତୀ ଅନସୂୟା ନାୟକ, ଶ୍ରୀମତୀ ଗୀତାଞ୍ଜଳି ଶତପଥୀ, ନାଟ୍ୟକାର ଆଶୀଷ ଚକ୍ରବର୍ତ୍ତୀ, ଗାଳ୍ପିକ ନିବାରଣ ଜେନା, କବି-କଥାକାର ଗଂଗାଧର ବିଶ୍ଵାଳ, ଆଡ୍ଭୋକେଟ୍ ଶରତ ମହାପାତ୍ର, ଚିତ୍ରଶିଳ୍ପୀ ମରୁତ୍ ରାଉତ, ଡ. ଶଶିକାନ୍ତ ମହାନ୍ତି, ‘ନାଚ୍’ର ପ୍ରତିଷ୍ଠାତା ଅରୁମାଂଶୁ ପାଣିଗ୍ରାହୀ, ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ସଂଗୀତଜ୍ଞା ଶ୍ରୀମତୀ କଲ୍ୟାଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏକାଧାରାରେ ତିନୋଟି ଭିନ୍ନ ଧାରାର ପୁସ୍ତକ ଲୋକାର୍ପଣ ହୋଇଥିବାରୁ ଏହି ଉତ୍ସବ ବାଲେଶ୍ଵର ସାରସ୍ବତ ଜଗତରେ ଏକ ସ୍ମରଣୀୟ ଘଟଣା ଭାବେ ଚିହ୍ନିତ ହୋଇରହିବ ବୋଲି ଅତିଥି ମତବ୍ୟକ୍ତ କରିଥିଲେ।





