ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ‘ଅନ୍ତର୍ଯ୍ୟାମୀ କମ୍ପିଟିଟିଭ୍ ଏକାଡେମୀ’ର ବାର୍ଷିକ ଉତ୍ସବ ରବିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବରର ସହିତ ପାଳିତ ହୋଇ ଯାଇଛି।
ଏକାଡେମୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ସମନ୍ଵୟ ଦେଖିବାକୁ ମିଳିଥିଲା।
ବାଲେଶ୍ୱର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ନିଗ୍ଧା ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ପ୍ରଶାନ୍ତ ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ, ଏକାଗ୍ରତା ଏବଂ ନୈତିକ ମୂଲ୍ୟବୋଧ ଆଡ଼କୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ‘ସିଦ୍ଧିବିନାୟକ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ’ର ଅଧ୍ୟକ୍ଷ ଘନଶ୍ୟାମ ବିଶ୍ୱାଳ ଯୋଗଦେଇ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ସୌମ୍ୟ ରଞ୍ଜନ ସିଂ, ଲକ୍ଷ୍ମୀନାରାୟଣ ନାୟକ ଏବଂ ପ୍ରଦୀପ କୁମାର ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଅନୁଷ୍ଠାନର ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏକାଡେମୀର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସେ ଗତ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହାସଲ କରିଥିବା ସଫଳତା ବିଷୟରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ। ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ଉତ୍ସାହିତ କରିଥିଲେ।
ପରିଶେଷରେ ଏକାଡେମୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ନୃତ୍ୟ, ସଙ୍ଗୀତ ଓ ନାଟିକା ଉପସ୍ଥାପନା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଧନ୍ୟବାଦ ଅର୍ପଣ ସହ ଜାତୀୟ ସଙ୍ଗୀତ ମାଧ୍ୟମରେ ସଭାର ସମାପନ ହୋଇଥିଲା।





