ଖଇରାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି: ୧୦୯ ଅଭିଯୋଗ ମଧ୍ୟରୁ ୧୩ଟିର ତତ୍କାଳୀନ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିଲା। ସୋମବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଖଇରା ବ୍ଲକ ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୧୦୯ ଜଣ ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ହାଜର ହୋଇଥିଲେ। ସେଥିମଧ୍ୟରୁ ୯୬ଟି ବ୍ୟକ୍ତିଗତ ଅଭିଯୋଗ, ୬ଟି ସାମୁହିକ ଅଭିଯୋଗ ଏବଂ ୭ଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ପାଇଁ ଆବେଦନ ଥିଲା। ପ୍ରଶାସନ ପକ୍ଷରୁ ଶୁଣାଣି ସ୍ଥଳରେ ହିଁ ୧୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ଅବଶିଷ୍ଟ ଅଭିଯୋଗୁଡ଼ିକୁ ଯଥାଶୀଘ୍ର ନିଷ୍ପତ୍ତି ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ମିଳିତ ଭାବେ ଅଭିଯୋଗ ଶୁଣିଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର ଜେନା, ଖଇରା ବିଡିଓ ନାରାୟଣ ସାହୁ ଏବଂ ତହସିଲଦାର ଅନୁପ କୁମାର ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଜନଶୁଣାଣି ମାଧ୍ୟମରେ ରାଜସ୍ୱ, ସ୍ୱାସ୍ଥ୍ୟ, ପୁଲିସ ଓ ବିଭିନ୍ନ ଯୋଜନା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ଅଭିଯୋଗକାରୀଙ୍କ କଥା ଧୈର୍ଯ୍ୟର ସହ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.