ରବିବାର ନର୍ଲା ସାପ୍ତାହିକି ହାଟରେ ଟ୍ରାଫିକ ସମସ୍ୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାପ୍ତାହିକି ହାଟରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ନର୍ଲା ଦେଇ ଯାଇଥିବା ଭବାନୀପାଟଣା- ଭୁବନେଶ୍ୱର ମୁଖ୍ୟ ରାଜ ରାସ୍ତା ଉପରେ ଏହି ସାପ୍ତାହିକି ହାଟଟି ବସୁ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ନର୍ଲା ସାପ୍ତାହିକି ହାଟ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଖ୍ୟ ରାଜ ରାସ୍ତା ଉପରେ ନର୍ଲା ପୋଲିସ ଷ୍ଟେସନ ସମ୍ମୁଖରେ ବସି ଆସୁଥିବା ବେଳେ ବଜାର ସମୟରେ ଭାରିଯାନ ଗୁଡିକର ଗମନା ଗମନ ଯୋଗୁଁ ଅନେକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ନର୍ଲାରେ ରବିବାର ଓ ଗୁରୁବାର ଦୁଇ ଦିନ ହାଟ ବସିଥାଏ ।

ଗୁରୁବାର ସାପ୍ତାହିକ ହାଟରେ କେବଳ ପରିବା ବିକ୍ରୟ ହୋଇଥିବା ବେଳେ ରବିବାର ସାପ୍ତାହିକ ହାଟରେ ପନିପରିବା, କପଡାଲତା, ବାସନ କୁସନ, ଚପଲ ଯୋତା ଓ ଆମିଷ ଦ୍ରବ୍ୟାଦି  ବିକ୍ରୟ ହୋଇଥାଏ । ନର୍ଲା ଗ୍ରାମ ପଞ୍ଚାୟତ, ଘଣ୍ଟମାଳ, ସର୍ଗିଗୁଡା, ମାଣ୍ଡେଲ, ବାଗପୁର, ରୁପ୍ରାରୋଡ, ରାକ୍ସୀ, କର୍ମେଗାଁ, ପଡୋଶୀ ଲାଞ୍ଜିଗଡ ବ୍ଲକର କମର୍ଦ୍ଧା ଗ୍ରାମ ପଞ୍ଚାୟତ ଓ ମଧୁପୁର ପ୍ରଭୃତି ଗ୍ରାମ ପଞ୍ଚାୟତ ଅଧିନସ୍ଥ ୨୫ ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ଏହି ରବିବାର ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି । ଏଣୁ ବଜାର ଜନଗହଳି ହୋଇଥାଏ । ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ଗୋଟାଏଁ ଯାଏଁ ବଜାର ବସିଥାଏ । ନର୍ଲା ଦେଇ ଯାଇଥିବା ଏହି ରାସ୍ତାଟି ରାଜ୍ୟ ରାଜପଥ ହୋଇଥିବାରୁ ସକାଳୁ ଭାରିଯାନ ଗୁଡିକର ଗମନା ଗମନ ସାଙ୍ଗକୁ ଅନ୍ୟାନ୍ୟ ଯାନ ବାହାନର ଗତାଗତ ରବିବାର ସାପ୍ତାହିକ ହାଟରେ ପ୍ରବଳ ଭାବରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ । ଗତ ୨୦୦୯/୧୦ ରେ ତତ୍କାଳୀନ ନର୍ଲା ବିଡିଓ ନିହାର ରଞ୍ଜନ ଦାସ ନର୍ଲା ସାପ୍ତାହିକ ହାଟରେ ଟ୍ରାଫିକ ସମସ୍ୟାକୁ ଦେଖି ଏହାକୁ ନର୍ଲା କଲେଜ ରାସ୍ତା ଓ ହାଇସ୍କୁଲ ଫିଲ୍ଡ ପଟକୁ ସ୍ଥାନାନ୍ତର କରିଥିଲେ । ହେଲେ ସେହି ସ୍ଥାନରେ ହାଟଟି କିଛିଦିନ ଚାଲିଲା । ବିଡିଓ ଶ୍ରୀଦାସଙ୍କ ବଦଳୀ ପରେ ପୁଣି ନର୍ଲା ମୁଖ୍ୟ ରାଜରାସ୍ତା କଡକୁ ହାଟଟି ଚାଲି ଆସିଥିଲା । ଏବେ ପୁଣି ଯେଉଁ ସମସ୍ୟାକୁ ସେହି ସମସ୍ୟା ଦେଇ ଗତି କରୁଛି । ଏଣୁ ନର୍ଲା ସାପ୍ତାହିକ ବଜାର ସମୟରେ ଟ୍ରାଫିକ ସମସ୍ୟାର ସମାଧାନ ଦୃଷ୍ଟିରୁ ଦୁଇ ପଟରୁ ସେହି ସମୟରେ ଆସୁଥିବା ଭାରି୍‌ଯାନ ଗୁଡିକୁ ବଜାର ସ୍ଥଳିର ଗୋଟିଏ କି.ମି. ଲେଖାଏଁ ଦୂରରୁ ସକାଳ ୭ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଟକ ରଖାଯାଉ ନତୁବା ଏହି ସାପ୍ତାହିକ ହାଟଟିକୁ ଅନ୍ୟତ୍ର ସୁରକ୍ଷିତ ଯାଗାକୁ ସ୍ଥାନାନ୍ତର ପାଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.