ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ପରିସରରେ ଗୁବାର ବ୍ଳକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଡିଡିଆରସି କଳାହାଣ୍ଡି ନୋଡାଲ ଅଫିସର ନିବାସ ଚନ୍ଦ୍ର ସାହୁ, ଡାକ୍ତର ଶିବାନନ୍ଦ ନାଏକ, ବିଧାୟକଙ୍କ ପ୍ରତିନିଧି ଭାବେ ତ୍ରିନାଥ ଶବର, ସମିତି ସଭ୍ୟ ଗଜାନନ ନିଆଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସୁରକ୍ଷା, ନିରାପତ୍ତା ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ପ୍ରଶାସନ ସେମାନଙ୍କୁ ସବୁବେଳେ ସହଯୋଗ ପାଇଁ ଆଗଭର ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ମୋଟ ୩୮୧ ଜଣ ଭିନ୍ନକ୍ଷମ ଯୋଗଦେଇ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣକୁ ଟ୍ରାଇ ସାଇକେଲ, ୧୨ ଜଣକୁ ହୁଇଲ ଚେୟାର, ୨ ଜଣ କୁ ଆଶା ବାଡ଼ି ପ୍ରଦାନ କରାଯାଇଥିବା ବେଳେ ୫୦ ଜଣକୁ ଭତ୍ତା ପ୍ରଦାନ, ୮୪ ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶିବିରରେ ଭବାନୀପାଟଣାରୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ମହାଲି, ମାନସିକ ବିଶେଷଜ୍ଞ ଡାକ୍ତର ଅନନ୍ତ ଚରଣ ମେହେର, କର୍ଣ୍ଣ, ଗଲା ଓ ନାଶା ବିଶେଷଞ୍ଚ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ମହାରଣା ସମେତ ଅନ୍ୟାନ୍ୟ ୧୦ ଜଣ ସହାୟକ ବିଶେଷଜ୍ଞ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମଞ୍ଚ କୁ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେଦ ନାଗ ପରିଚାଳନା କରିଥିବାବେଳେ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.