ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖା ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦୁଇ ଗୋଟି ଦାବୀପତ୍ର ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘ ର ୭୨ ବର୍ଷ ପୂର୍ତ୍ତି ଉପଲକ୍ଷେ ନର୍ଲା ଡାକ ବଙ୍ଗଳାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା ହେବା ପରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ସା, ପାଚିକା ସହାୟିକା ମଜଦୁର ସଂଘ ଜିଲ୍ଲା ସମ୍ପାଦିକା ବିମଳା ଗଉଡ, ପାଚିକା ସହାୟିକା ମଜଦୁର ସଂଘ ବ୍ଲକ ସଭାନେତ୍ରୀ ପ୍ରତିମା ଜାନୀ, ବରିଷ୍ଠ ସଦସ୍ୟ ସନ୍ୟାସୀ ପଧାନଙ୍କ ନେତୃତ୍ୱରେ ନର୍ଲା ଡାକଳା ବଙ୍ଗଳା ଠାରୁ ହାତରେ ପତାକା ଖଣ୍ଡିଏ ଲେଖାଏଁ ଧରି ସେମାନଙ୍କ ବିଭିନ୍ନ ଦାବୀ ଗୁଡିକ ସରକାର ତୁରନ୍ତ ପୁରଣ କରନ୍ତୁ ବୋଲି ନାରା ଦେଇ ଏକ ଭବ୍ୟ ଶୋଭାଯାତ୍ରାରେ ବ୍ଲକ କୁ ଯାଇଥିଲେ। ପାଚିକା ସହାୟୀକା ମଜଦୁର ସଂଘ ତରଫରୁ ଦାବୀ ଗୁଡିକ ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନାର ରୋଷେୟାଙ୍କୁ ମାସିକ ସର୍ବନିମ୍ନ ଟ. ୧୦,୦୦୦ଙ୍କା ମାନଦେୟ ପ୍ରଦାନ କରାଯାଉ।ଏମ୍. ଡି.ଏମ୍. ଯୋଜନାର ଘରୋଇକରଣ ବନ୍ଦ କରାଯାଉ ଏବଂ ସ୍କୁଲ୍ରେ ହିଁ ଯେଉଁଠାରେ ସଂଶାଧନ ଉପଲବ୍ଧ ଅଛି ସେଠାରେ ଘାରୋଇ ସଂସ୍ଥାକୁ ଦେବା ବନ୍ଦ କରାଯାଉ।ଖାଦ୍ୟ ପ୍ରସ୍ତୁତ ସମୟରେ ଯଦି କୌଣସି କର୍ମଚାରୀଙ୍କ ଦୁର୍ଘଟଣା ହେଉଛି, ତେବେ ସେହି ରୋଷେୟା ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାର ବ୍ୟବସ୍ଥା ସହିତ ମୃତ୍ୟୁ ବା ସଂପୂର୍ଣ୍ଣ ଅକର୍ମଣ୍ୟ କ୍ଷେତ୍ରରେ ରାଜ୍ୟ ସରକାରମାନେ ଉପଯୁକ୍ତ କ୍ଷତିପୂରଣ ରାଶି ଦେବା ବା ବୀମା ଅନ୍ତର୍ଭୁକ୍ତ କରିବାର ପ୍ରାବଧାନ କରନ୍ତୁ। ଆଶା ଏବଂ ଅଙ୍ଗନଓ୍ବାଡ଼ି ଭଳି ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର କର୍ମୀମାନଙ୍କ ପରି ମାଗଣା ବୀମା ଯୋଜନା ପ୍ରଦାନ କରାଯାଉ।ମଧ୍ୟାହ୍ନ ଭୋଜନ ଯୋଜନାର ରୋଷେୟା ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଗୋଟିଏ କାର୍ଯ୍ୟ ବର୍ଷରେ ୧୦ ମାସ ବଦଳରେ ସମ୍ପୂର୍ଣ୍ଣ ୧ ବର୍ଷର ମାନଦେୟ ପ୍ରଦାନ କରାଯାଉ। ଏଭଳି ୯ ଗୋଟି ଦାବୀ ଓ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ତରଫରୁ ହେମାଲି ମାନଙ୍କ ଦୀର୍ଘ ଦିନରୁ ପଡି ରହିଥିବା ୪ ଦଫାର ଦାବୀ ସମ୍ବଳିତ ଭିନ୍ନ ଭିନ୍ନ ଦୁଇଗୋଟି ଦାବୀ ପତ୍ର ନର୍ଲା ବିଡିଓ ବିପିନ ବିହାରୀ ଦୀପଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହେମାଲି ଗୋଷ୍ଠୀର ସଦସ୍ୟ ବୃନ୍ଦ, ସିଆରପି ଏସୋସିଏସଲ, ପାଚିକା ସହାୟିକା ମଜଦୁର ସଂଘ ସବୁ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପରୋକ୍ତ ସଙ୍ଗଠନ ଗୁଡିକର ନେତୃବୃନ୍ଦ ଶୁଭ ଥାପା, ଅଭି ନାଗ, ଏମ.ରାମପୁର ବ୍ଲକ ସଭାପତି ପ୍ରେମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।






