ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡୁଡୁକାଠେଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ତେଣୁ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ମଙ୍ଗଳବାର କୋକସରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଡୁଡୁକାଠେଙ୍ଗା ୟୁପି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୧୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ଶିକ୍ଷାଦାନ ନିମନ୍ତେ ୩ ଜଣ ଶିକ୍ଷକ ରହିଛନ୍ତି। ଛାତ୍ରଛାତ୍ରୀ ଅନୁପାତରେ ବିଦ୍ୟାଳୟର ମୋଟ ୬ ଜଣ ଶିକ୍ଷକ ଆବଶ୍ୟକ ରହିଛି। ଯାହା ଫଳରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି। ତେଣୁ ବିଦ୍ୟାଳୟରେ ଆଉ ୩ ଜଣ ଶିକ୍ଷକ ନିଯୁକ୍ତ କରିବା ପାଇଁ ଆଜି ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରୟା ନାଗଙ୍କ ନେତୃତ୍ବରେ ଗ୍ରାମବାସୀ ମାନେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଙ୍କ ଅନୁପସ୍ଥିତ ହେତୁ ଏବିଇଓ ତୋଫାନ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଆବଶ୍ୟକ ହିସାବରେ ଶିକ୍ଷକ ନିଯୁକ୍ତ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ହରିପ୍ରିୟା ନାଗ ସହିତ ୱାର୍ଡ ସଭ୍ୟ ଦେବି ସିଂ ନାଗ, ଖଗେଶ୍ବର ପାଣିଗ୍ରାହୀ, ପଦ୍ମନ ଚଳାନ ପ୍ରମୁଖ ଉପସ୍ଥିତ ରହିଥିଲେ।





