ଆନ୍ଧ୍ରର ରେଡ ଜୋନରୁ ଆସୁଛି ଶହ ଶହ ଟ୍ରକ, ନଦୀ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଦାବି
ରାୟଗଡ,୧୧/୫: ନାଗାବଳୀ ନଦୀରୁ ହେଉଛି ଆନ୍ଧ୍ରକୁ ବାଲି ଚାଲାଣ । ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଳାପାଳଙ୍କୁ ଏ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ନ ଥିବାରୁ ସେମାନଙ୍କ ଭୂମିକା ଉପରେ ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଶେଷରେ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିିିଳିଛି ରାୟଗଡ ଜିଲ୍ଳା ତଥା ତହସିଲ ଅଧିନସ୍ଥ କେରଡା ଗ୍ରାମ ପଂଚାୟତ ଅଂଚଳରେ ଥିବା ନାଗାବଳୀ ନଦୀର ବାଲିଘାଟକୁ ନେଇ । ଏହି ଅଂଚଳର ବିଭିନ୍ନ ସ୍ଥାନରେ ଥିବା ବାଲିଘାଟରୁ ଅନାଧିକାର ଭାବେ ପଡୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଟ୍ରକ ପ୍ରତିଦିନ ନିୟମିତ ଭାବେ ବାଲିଘାଟ ସହ ନଦୀ ଗର୍ଭରୁ ବାଲି ଉଠାଣ କରି ନେଇଯାଉଥିବା ବେଳେ ଟ୍ରକରେ ଆସୁଥିବା ଡ୍ରାଇଭର ଓ ହେଲପରମାନେ ମଦ୍ୟପାନ କରି ବେପାରୁଆ ଭାବେ ଗାଡି ଚଳାଉଥିବାରୁ ଗ୍ରାମବାସୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ।
ଏହି ଚୋରା ଚାଲାଣକୁ ବନ୍ଦ କରିବା ଓ ନଦୀ ଗର୍ଭରୁ ବାଲି ଉଠାଣ ଏବଂ ବେପାରୁଆ ଗାଡି ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋମବାର ଦିନ କେରଡା ଗ୍ରାମର ବହୁ ମହିଳା ଓ ପୁରୁଷମାନେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି ଅଭିଯୋଗ ଦରଖାସ୍ତ ପ୍ରଦାନ କରି ଆଲୋଚନା କରିଥିଲେ । ତେବେ ଘଟଣାସ୍ଥଳକୁ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ୱାରା ଅନୁଧ୍ୟାନ କରି ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଳାପାଳ ଶ୍ରୀ ବେହେରା ।
ରାୟଗଡ ତହସିଲ ଅନ୍ତର୍ଗତ କେରଡା ଗ୍ରାମ ପଂଚାୟତର ଶିବ ସାଇ ମହିଳା ଗ୍ରୁପ, ମା ମଙ୍ଗଳା ଏସଏଚଜି ଗ୍ରୁପର ମହିଳା ସଦସ୍ୟା, ସ୍ଥାନୀୟ ସରପଂଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ନାଗାବଳୀ ନଦୀର କେରଡା ବାଲିଘାଟରେ ବଡ ବଡ ଜେସିବି ଓ ଅନ୍ୟାନ୍ୟ ବାଲି ଉଠା ମେସିନ ଦ୍ୱାରା ବାଲି ଉଠାଣ କରାଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍, ବିଜୟନଗରମ୍, ପାର୍ବତୀପୁରମ ସହ ଅନେକ ସ୍ଥାନକୁ ଦଶ,ବାର,ଚଉଦ ଚକିଆ ଟ୍ରକ ସମେତ ଟ୍ରାକ୍ଟର ମାଧ୍ୟମରେ ଦିନରାତି ଚାଲାଣ କରାଯାଉଛି ।
ଯଦ୍ୱାରା ଏହି ଅଂଚଳରେ ଗାଡିମାନଙ୍କ ଶଦ୍ଦ ପ୍ରଦୁଷଣ ହେବା ସହ ବାୟୁ ପ୍ରଦୁଷଣ ଓ ରାସ୍ତାଘାଟଗୁଡିକ ନଷ୍ଟ ହେବାରେ ଲାଗିଲାଣି । ଅପରପକ୍ଷେ ନଦୀଗର୍ଭରୁ ମଧ୍ୟ ବାଲି ଉଠାଣ କରୁଥିବାରୁ ବର୍ତମାନ ନଦୀ ଭିତରେ ବହୁ ଗଭୀର ହେବା ଫଳରେ ନଦୀ ଆରିପାରିରେ ଥିବା ଅଣଜା ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜଟି ଏବେ ଅସୁରକ୍ଷିତ ହୋଇପଡିଛି । ବର୍ତମାନ ସମୟରେ ଆନ୍ଧ୍ର ପ୍ରଦେଶର ଅନେକ ସହରରେ କରୋନା ପଜିଟିଭ୍ ବାହାରିବା ପରେ ତାହା ରେଡ୍ ଜୋନରେ ଥିବା ବେଳେ ଉକ୍ତ ରେଡ ଜୋନରୁ ଏହି ଟ୍ରକଗୁଡିକ ଆସିବା ଏବଂ ଡ୍ରାଇଭରମାନେ କେରଡା ଅଂଚଳରେ ବୁଲୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ଗ୍ରାମବାସୀମାନେ ଆହୁରି ଭୟଭୀତ ହୋଇପଡିଛନ୍ତି ।
ତେଣୁ ଯଥାଶୀଘ୍ର ଏହି ଅଂଚଳରେ ବାଲି ଉଠାଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ନଦୀ ଓ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଦି ପ୍ରଶାସନ ଏ ଦିଗରେ ବିଳମ୍ବ କଲେ ତାହାହେଲେ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ଯେଉଁ ପନ୍ଥା ଗ୍ରହଣ କରିବେ ତାକୁ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଦିଆଯିବ ବୋଲି ଜିଲ୍ଳା କଂଗ୍ରେସ କମିଟିର ସଭାପତି ଦୁର୍ଗାପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
________________________________________